Skip to main content

ଜୈବଶକ୍ତି(Bioenergy) | ଶକ୍ତିର ଉତ୍ସ | Class 10 Science Odia Notes

 

ଜୈବଶକ୍ତି(Bioenergy)

କାଠ, ଗାବର, ପରିବାଚୋପା, ଆବର୍ଜନା ଓ କେତେକ କୃଷିଜାତ ଜୈବ ଆବର୍ଜନାରୁ ମିଳୁଥିବା ଶକ୍ତିକୁ 'ଜୈବ ଶକ୍ତି ‘ କୁହାଯାଏ।

ଜୈବ ଶକ୍ତି ଜୈବ ପଦାର୍ଥରେ ନିହିତ ଥାଏ ।

ଜୈବ ପଦାର୍ଥକୁ ସାଧାରଣତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ ଯଥା –

1)     ନୂତନ ଉଦ୍ଭିଦ :- ବିଭିନ୍ନ ବୃକ୍ଷ, ଶଶ୍ୟ, ଶୈବାଳ ଇତ୍ୟାଦି ।

2)     ଅବଶେଷ :- କୁଟା, କୁଣ୍ଡା, ଆଖୁଖଦା, ପତ୍ର, ଖୋଳପା, ବକଳ, ଚେର ଇତ୍ୟାଦି ।

3)     ଆବର୍ଜନା :- ଅପଘଟନ ଯୋଗ୍ୟ ଆବର୍ଜନା, ମଳ, ନାଳ ନର୍ଦ୍ଦମାର ଅଳିଆ, କାରଖାନାର ଜୈବ ଆବର୍ଜନା, ଗୋବର ଇତ୍ୟାଦି ।

ଦହନ, ତାପ ଅପଘଟନ, ଗ୍ୟାସୀକରଣ ଓ ତରଳୀକରଣ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବ ଶକ୍ତି ଉତ୍ପାଦନ କରାଯାଏ ।  

ଜୈବ ଗ୍ୟାସ :- 

ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥ ବିଘଟନ ଦ୍ୱାରା ନିର୍ଗତ ଗ୍ୟାସର ମିଶ୍ରଣକୁ ଜୈବ ଗ୍ୟାସ କୁହାଯାଏ ।

ବିଶେଷତଃ ଗୋବରରୁ ଏହି ଗ୍ୟାସ ମିଳୁଥିବାରୁ ଏହାକୁ ଗୋବର ଗ୍ୟାସ କୁହାଯାଏ ।

ଗୋବର ଓ ବିଭିନ୍ନ ଆବର୍ଜନାରୁ ଉତ୍ପାଦିତ ଗ୍ୟାସ ହେଉଛି ମିଥେନ  

ଆମ ଦେଶରେ ପ୍ରାୟ 30 କୋଟି ଗୋରୁ ଓ ମଇଁଷି ଆଦି ଅଛନ୍ତି । ସେମାନଙ୍କ ଗୋବରରୁ ପ୍ରାୟ ଶତକଡା 30 ଭାଗ ଜାଳେଣି ମିଳିଥାଏ ଏବଂ ଶତକଡା 34 ଭାଗ ଜାଳେଣି କୃଷିଜାତ ଅବଶେଷରୁ ମିଳେ ।

ଦେଶରେ ଥିବା ଗୋରୁ ଓ ମଇଁଷିମାନଙ୍କଠାରୁ ବର୍ଷକୁ ପ୍ରାୟ 90 କୋଟି ଟନ ଗୋବର ମିଳେ ।

ସେଥିପାଇଁ ଗୋବରରୁ ଉତ୍କୃଷ୍ଟ ଉପାୟରେ ଶକ୍ତି ଉତ୍ପାଦନ ପାଇଁ ଗୋବର ଗ୍ୟାସ ପ୍ଳାଣ୍ଟ ନିର୍ମାଣ କରାଯାଉଛି ।

ଗୋବର ଗ୍ୟାସ ପ୍ଲାଣ୍ଟ

ଗୋବର ଗ୍ୟାସ ପ୍ଲାଣ୍ଟରେ ନିମ୍ନଲିଖିତ ଅଂଶ ରହିଥାଏ :-

v  ପ୍ରବେଶ ପାତ୍ର :- ଗାବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲ ଭାବରେ ଫେଣ୍ଟି ମଣ୍ଡ ପ୍ରସ୍ତୁତ କରାଯାଏ। ଏହି ମିଶ୍ରଣ ଏକ ନଳ ଭିତର ଦେଇ ଆପେ ଆପେ  ଡାଇଜେଷ୍ଟର କୂପ କୁଚାଲିଯାଏ

v  ଡାଇଜେଷ୍ଟର କୂପ :- ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି। ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ ।  ଗୋବର ଓ ପାଣିର ମିଶ୍ରଣ ଏଠାରେ ଜମା ହୁଏ ।

v  ଧାତୁନିର୍ମିତ ଡୋମ୍ :- ଏହି କୂପକୁ ସମ୍ପୂର୍ଣ ରୂପେ ଘୋଡାଇ ବାୟୁରୋଧୀ କରାଯାଏ। ଅମ୍ଳଜାନ ଅନୁପସ୍ଥିତିରେ ବଢିପାରୁଥିବା ମିଥାନୋଜେନ (Methanogen) ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଏହି ମିଶ୍ରଣରୁ କିଣ୍ୱନ (Fermentation) ଦ୍ୱାରା ମିଥେନ, କାର୍ବନ ଡ଼ାଇଅକସାଇଡ, ହାଇଡ୍ରୋଜେନ, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ ଉତ୍ପନ୍ନ କରନ୍ତି। ଏଥିରେ ମିଥେନ ଗ୍ୟାସ ଶତକଡା ପ୍ରାୟ 65-75 ଭାଗ ଥାଏ ।

v   ନିର୍ଗମନଳୀ :- ଏହି ଧାତବ ନଳୀ ବାଟ ଦେଇ ଗ୍ୟାସ ରୋଷେଇ ଘର ଚୁଲାକୁ ଯାଏ । ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।    

ଉପକାରିତା :-

Ø  ଶୁଖିଲା ଗୋବର ଠାରୁ ପ୍ରାୟ 6 ଗୁଣ ଅଧିକ ଦକ୍ଷ ।

Ø  ଧୂମ ବିହୀନ ହୋଇଥିବାରୁ ଚକ୍ଷୁ ବା ଶ୍ଵାସ ସମ୍ପର୍କିତ ରୋଗ ହେବାର ଆଶଙ୍କା ନଥାଏ ।

Ø  ଗୋବର ବ୍ୟବହାର ହୋଇଯାଉଥିବାରୁ ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ନଥାଏ ।

Ø  ଗୋବରକୁ ସିଧାସଳଖ ଖତ କଲେ ଶତକଡା 50 ଭାଗ ନଷ୍ଟ ହୁଏ ମାତ୍ର ଗୋବର ଗ୍ୟାସ ବାହାର କଲାପରେ ଖଡକୁ ଖତ କଲେ ଶତକଡା 25 ଭାଗ ନଷ୍ଟ ହୁଏ ।

Ø  ଗୋବର ଖଦାର ଦୁର୍ଗନ୍ଧ ନଥାଏ ଓ ଏହା ମାଟିରେ ଭଲଭାବେ ମିଶିପାରେ ।