Skip to main content

ମଣିଷ ଜନନ ସମ୍ପର୍କୀୟ ରୋଗ || ଜନନ (Reproduction) || Class X || Notes

 

ମଣିଷ ଜନନ ସମ୍ପର୍କୀୟ ରୋଗ

    ମଣିଷ ଜନନକ୍ରିୟା ମାଧ୍ୟମରେ ଗନେରିଆ, ସିଫିଲସ୍, ଏଡ୍‌ସ ଭଳି ବିଭିନ୍ନ ପ୍ରକାର ରୋଗ ହୋଇଥାଏ ।

ଏଡସ:

    ଏଡସ୍ କୌଣସି ପ୍ରକାର ରୋଗ ନୁହେଁ । ଏହା ମନୁଷ୍ୟ ଶରୀରର ଏକ ଅବସ୍ଥା, ଯେଉଁଥିରେ ଶରୀରର ରୋଗ ପ୍ରତିରୋଧୀ ଶକ୍ତି ଧୀରେ ଧୀରେ ନଷ୍ଟ ହୁଏ । ଫଳରେ ଏଡ୍‌ସରେ ଆକ୍ରାନ୍ତ ବ୍ୟକ୍ତି କୌଣସି ରୋଗର ସଫଳ ପ୍ରତିରୋଧ କରିବାକୁ ସମର୍ଥ ହୁଏନାହିଁ। ତେଣୁ ଯେ କୌଣସି ରୋଗ ହେଲେ ତାହା ଆଉ ଭଲ ହୁଏନାହିଁ । 
AIDS: Acquired Immune Deficiency Syndrome- ଅର୍ଜିତ ରୋଗ ପ୍ରତିରୋଧକ ଶକ୍ତି ଅଭାବ ସଂଲକ୍ଷଣ ବା ସମୂହ

ଏଡସ୍ ବିଷୟରେ ଖବର 1960 ମସିହା ଠାରୁ ମିଳି ଆସୁଥୁଲା । କିନ୍ତୁ 1981 ମସିହାରେ ପ୍ରଥମେ ଉତ୍ତର ଆମେରିକାର ନ୍ୟୁୟର୍କ ଓ କାଲିଫର୍ଣ୍ଣିଆ ସହରରେ ଏଡସ୍ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଠାବ କରାଗଲା । 1986 ମସିହାରେ ଭାରତରେ ପ୍ରଥମ ଏଡସ୍‌ରେ ଆକ୍ରାନ୍ତ ବ୍ୟକ୍ତିକୁ ଚିହ୍ନଟ କରାଯାଇଥିଲା ।
ଏଚ୍.ଆଇ.ଭି.:

ଏଡସ୍‌, ଏଚ୍. ଆଇ.ଭି. (Human Immunodeficiency Virus - HIV) ଭୂତାଣୁ ଦ୍ୱାରା ହୋଇଥାଏ । ଏହାର ଶରୀର ଗଠନ ଅତି ସରଳ । ମୁଖ୍ୟତଃ ପୁଷ୍ଟିସାରରେ ଗଠିତ ଖୋଳପା ମଧ୍ୟରେ ଭୂତାଣୁର ଆନୁବଂଶିକ ପଦାର୍ଥ (Genetic material) ଥାଏ । ଏହା ହେଉଛି ଆରଏନ୍‌ଏ । ଆରଏନଏ ଥିବା ଭୂତାଣୁମାନଙ୍କୁ ପଶ୍ଚଭୂତାଣୁ ବା ରେଟ୍ରୋଭାଇରସ୍ (Retrovirus) କୁହାଯାଏ ।
ରୋଗପ୍ରକ୍ରିୟା (Pathogenecity):
    ଆମ ରକ୍ତରେ ଥିବା ଶ୍ଵେତରକ୍ତ କଣିକାମାନେ ଆମ ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରନ୍ତି । କିନ୍ତୁ ଏଡସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଟି-ଲିମ୍ଫୋସାଇଟ୍ (T-lymphocyte) ନାମକ ଏକ ପ୍ରକାର ଶ୍ଵେତରକ୍ତ କଣିକା ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଏ । ଫଳରେ ସେମାନଙ୍କଠାରେ ମାସାଧିକ କାଳ ଜ୍ଵର ଲାଗିରହେ । ସେହିପରି ଝାଡ଼ା, କାଶ ଲାଗିରହେ; ଶ୍ଵାସତନ୍ତ୍ର ଓ ସ୍ନାୟୁତନ୍ତ୍ରରେ ମଧ୍ୟ ସମସ୍ୟା ଦେଖାଦିଏ । ବ୍ୟକ୍ତିର ଓଜନ ହ୍ରାସ ପାଏ । ସଫଳ ଚକିତ୍ସା ନଥୁବାରୁ ଶେଷରେ ବ୍ୟକ୍ତିର ମୃତ୍ୟୁ ହୁଏ ।
ଏଡସ୍ ସଂକ୍ରମଣ :
    ଏଡସ୍ ସୃଷ୍ଟିକାରୀ ଭୂତାଣୁ ମଣିଷ ଶରୀର ବାହାର ପରିବେଶରେ ଏକ ମିନିଟ୍‌ରୁ ଅଧିକ ସମୟ ବଞ୍ଚୁପାରେ ନାହିଁ । ଏହା ଜଣେ ବ୍ୟକ୍ତି ଶରୀରରୁ ସିଧାସଳଖ ଅନ୍ୟଜଣେ ବ୍ୟକ୍ତି ଶରୀରକୁ ସଂକ୍ରମିତ ହୋଇଥାଏ । ଏଡସ୍‌ରେ ଆକ୍ରାନ୍ତ ବ୍ୟକ୍ତିଠାରୁ ରକ୍ତ ଗ୍ରହଣ ଏବଂ ଏଡସ୍ ପୀଡିତା ମାଆ ଠାରୁ ତାର ଗର୍ଭସ୍ଥ ଶିଶୁକୁ ସଂକ୍ରମଣ ଏହାର କିଛି ଉଦାହରଣ । ଭାରତରେ 85 ପ୍ରତିଶତ ଏଡସ୍ ସଂକ୍ରମଣ, ଏଡସ୍ ଆକ୍ରାନ୍ତ ବ୍ୟକ୍ତି ସହିତ ଅନୈତିକ ଦୈହିକ ସଂପର୍କ ସ୍ଥାପନ ଦ୍ଵାରା  ବ୍ୟାପିଥାଏ ।
ଏଡ୍‌ସ ଚିହ୍ନଟ:
    ଜଣେ ବ୍ୟକ୍ତି ଏଚଆଇଭି ଦ୍ଵାରା ଆକ୍ରାନ୍ତ ହୋଇଛି କି ନାହିଁ, ସେ ବିଷୟରେ ଜାଣିବା ପାଇଁ ଏବେ ବିଭିନ୍ନ ପ୍ରକାର ପରୀକ୍ଷଣ ଉପଲବ୍ଧ ହେଲାଣି । ରକ୍ତରେ ଆଣ୍ଟିଜେନ୍‌ ଓ ଆଣ୍ଟିବଡ଼ିର ଉପସ୍ଥିତି ଅନୁସାରେ ପରୀକ୍ଷଣକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା । 
ଯଥା : ୧.  ରାପିଡ଼ ଏଚଆଇଭି ପରୀକ୍ଷଣ (Rapid HIV Test) ଓ 9. ପରମ୍ପରାଗତ ପରୀକ୍ଷାଗାର ପରୀକ୍ଷଣ (Conventional Laboratory Test)

(i) ରାପିଡ ଏଚଆଇଭି ପରୀକ୍ଷଣ : 
ଏହି ପରୀକ୍ଷଣରେ ବ୍ୟକ୍ତିର ଆଙ୍ଗୁଠି ଟିପରୁ ରକ୍ତ ନେଇ ପରୀକ୍ଷା କରାଯାଇଥାଏ । ଏହି ପରୀକ୍ଷଣ ପାଇଁ ୨୦-୩୦ ମିନିଟ ସମୟ ଲାଗିଥାଏ ।
(ii) ପରମ୍ପରାଗତ ପରୀକ୍ଷାଗାର ପରୀକ୍ଷଣ : 
ଏହି ପରୀକ୍ଷଣ ଗୁଡ଼ିକ ହେଉଛି :
(କ) ଏଲାଇଜା (ELISA = Enzyme Linked Immuno Sorbent Assay)
(ଖ) ଏଲଫା (ELFA = Enzyme Linked Fluorescent Assay)
(ଗ) ରିଟା (RITA=Recent Infection Testing Algorithm)
(ଘ) P24 ଟେଷ୍ଟ ଇତ୍ୟାଦି । କିନ୍ତୁ ୱେଷ୍ଟର୍ଣ ବ୍ଲଟିଙ୍ଗ (Western blotting) କୌଶଳ ଏଡ୍‌ସ ଚିହ୍ନଟ ପାଇଁ ସବୁଠାରୁ ବିଶ୍ଵାସନୀୟ ଉପାୟ । 
    ଏଡ୍‌ସ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ପହିଲା ତାରିଖକୁ ବିଶ୍ୱ ଏଡ୍‌ସ ଦିବସ (World AIDS Day) ଭାବେ ପୃଥିବୀର ସବୁ ଦେଶରେ ପାଳନ କରାଯାଉଛି ।