ମାନବର ଲିଙ୍ଗୀୟ ଜନନ (Human Reproductive System)
ଯୁଗ୍ମକଜନନ :
ଯୁଗ୍ମକଜନନ ଦ୍ୱାରା ଶୁକ୍ରାଶୟରେ ଶୁକ୍ରାଣୁ (Sperm) ଓ ଡିମ୍ବାଶୟରେ ଡିମ୍ବାଣୁ (Ovum) ସୃଷ୍ଟି ହୁଏ । ଶୁକ୍ରାଣୁ ସୃଷ୍ଟି ପ୍ରକ୍ରିୟାକୁ ଶୁକ୍ରାଣୁଜନନ (Spermato-genesis) ଓ ଡିମ୍ବାଣୁସୃଷ୍ଟି ପ୍ରକ୍ରିୟାକୁ ଡିମ୍ବାଣୁଜନନ (Oogenesis) କୁହାଯାଏ ।
ଶୁକ୍ରାଣୁଜନନ :
ପୁରୁଷର ଶୁକ୍ରାଶୟ ବହୁସଂଖ୍ୟକ ଶୁକ୍ରୋତ୍ପତ୍ତି ସୂକ୍ଷ୍ମ ନଳିକା ବା ଶୁକ୍ରଜନ ନଳିକା (Seminiferous tubules) ଦ୍ଵାରା ଗଠିତ ।
ପ୍ରତ୍ୟେକ ନଳିକାର ଆବରଣରେ ରହିଛି ଆଦି ଜାୟକ କୋଷ ଦ୍ୱାରା ଗଠିତ ଜର୍ମିନାଲ୍ ଏପିଥୁଲିୟମ୍ (Germinal epithelium) ବା ଜନନ ଅଧିଚ୍ଛଦ ।
ଏହି ଅଧିଚ୍ଛଦରେ ଥିବା କୋଷରେ ସମବିଭାଜନ ହେବା ଫଳରେ ଉତ୍ପନ୍ନ କୋଷଗୁଡ଼ିକୁ ‘ମୂଳ ଶୁକ୍ରାଣୁ କୋଷ’ (Spermatogonium) କୁହାଯାଏ । ଏହି ପ୍ରକ୍ରିୟା ହେଉଥିବା ପ୍ରାବସ୍ଥାକୁ ପ୍ରଗୁଣନ ପ୍ରାବସ୍ଥା (Phase of Multiplication) କୁହାଯାଏ ।
ଅନେକ ମୂଳ ଶୁକ୍ରାଣୁ କୋଷ ଗଠିତ ହେଲାପରେ ଏହି କୋଷଗୁଡ଼ିକର ଆକାର ବୃଦ୍ଧି ହୁଏ । କୋଷର ବୃଦ୍ଧି ହୋଇ ଏକ ନିର୍ଦ୍ଦିଷ୍ଟ ଆକାରରେ ପହଞ୍ଚିଲେ ତାହାକୁ ପ୍ରାଥମିକ ଶୁକ୍ରାଣୁ କୋଷ (Primary spermatocyte) କୁହାଯାଏ । ମୂଳ ଶୁକ୍ରାଣୁ କୋଷର ବୃଦ୍ଧିହୋଇ ପ୍ରାଥମିକ ଶୁକ୍ରାଣୁ କୋଷ ହେବା ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି ପ୍ରାବସ୍ଥା (Phase of Growth) କୁହାଯାଏ ।
ଏହାପରେ ପ୍ରାଥମିକ ଶୁକ୍ରାଣୁ କୋଷରେ ଅର୍ଦ୍ଧବିଭାଜନ ପ୍ରକ୍ରିୟା ହୋଇଥାଏ । ଏହି ବିଭାଜନ ଫଳରେ ଗୋଟିଏ ପ୍ରାଥମିକ ଶୁକ୍ରାଣୁ କୋଷରୁ ଦୁଇଟି ଦ୍ଵିତୀୟକ ଶୁକ୍ରାଣୁ କୋଷ (Secondary spermatocyte) ତିଆରି ହୁଏ ।
ଏହି କୋଷର ଗୁଣସୂତ୍ର ସଂଖ୍ୟା ଅର୍ଦ୍ଧେକ (n) ହୋଇଥାଏ । ଦ୍ଵିତୀୟ ଅର୍ଦ୍ଧବିଭାଜନରେ ଦ୍ଵିତୀୟକ ଶୁକ୍ରାଣୁ କୋଷରୁ ଦୁଇଟି ପ୍ରାକ୍ ଶୁକ୍ରାଣୁ କୋଷ (Spermatid) ତିଆରି ହୁଏ ।
ଗତିହୀନ ପ୍ରାକ୍ ଶୁକ୍ରାଣୁ କୋଷରେ ବିଭିନ୍ନ ରକମର ପରିବର୍ତ୍ତନ ଓ ପରିବର୍ଦ୍ଧନ ଅର୍ଥାତ୍ ବିଭେଦନ (Differentiation) ହେଲାପରେ ତାହା ଏକ ଗତିଶୀଳ ଶୁକ୍ରାଣୁରେ ପରିଣତ ହୋଇଥାଏ । ପ୍ରାକ୍ ଶୁକ୍ରାଣୁ କୋଷରୁ ଶୁକ୍ରାଣୁ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସର୍ମିଓଜେନେସିସ୍ (Spermiogenesis) କୁହାଯାଏ । ପ୍ରାଥମିକ ଶୁକ୍ରାଣୁ କୋଷରୁ ଶୁକ୍ରାଣୁ ସୃଷ୍ଟି ହେବା ପର୍ଯ୍ୟନ୍ତ ଅବଧିକୁ ପରିପକ୍ୱନ ପ୍ରବସ୍ଥା (Phase of Maturation) କୁହାଯାଏ ।
ଶୁକ୍ରାଣୁ (Sperm):
ଶୁକ୍ରାଣୁ ଏକ ଲମ୍ବ ଲାଞ୍ଜବିଶିଷ୍ଟ କୋଷ । ଏହାର ତିନୋଟି ଅଂଶ ରହିଛି; ଅଗ୍ରଖଣ୍ଡ ବା ହେଡ୍ (Head), ମଧ୍ୟ ଖଣ୍ଡ (Middle piece) ଓ ଲାଞ୍ଜ (Tail) । ଶୁକ୍ରାଣୁ ହେଡ୍ର ଆକାର ବିଭିନ୍ନ ପ୍ରାଣୀରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହାର ଗୋଟିଏ ପାଖରେ ରହିଛି ଅଗ୍ରପିଣ୍ଡକ (Acrosome), ଏହା ପଛକୁ ରହିଛି କୋଷ ନ୍ୟଷ୍ଟି । ମଧ୍ୟ ଖଣ୍ଡ ଭିତରେ ରହିଛି ମାଇଟୋକଣ୍ଡ୍ରିଆ । ହେଡ୍ ଓ ମିଡିଲ୍ ପିସ୍ ଭିତରେ ଥୁବା ଗ୍ରୀବା ବା ନେକ୍ (Neck) ରେ ଅଛି ସେଣ୍ଟ୍ରିଓଲ । ମଧ୍ୟଖଣ୍ଡ ପଛକୁ ଲମ୍ବିଛି ସୂତା ପରି ଲାଞ୍ଜ । ଏହା ଶୁକ୍ରାଣୁର ଚଳନରେ ସାହାଯ୍ୟ କରେ ।
ଡିମ୍ବାଣୁଜନନ:
ସ୍ତ୍ରୀଯୁଗ୍ମକ ବା ଡିମ୍ବାଣୁ, ଡିମ୍ବାଣୁ ଜନନ ପ୍ରକ୍ରିୟାରେ ଉତ୍ପନ୍ନ ହୋଇଥାଏ । ଡିମ୍ବାଶୟର ଆବରଣ ସହ ରହିଛି ଆଦି ଜାୟକ କୋଷ । ଏହି କୋଷର ବିଭାଜନ ଫଳରେ ବହୁସଂଖ୍ୟକ ମୂଳ ଡିମ୍ବାଣୁ କୋଷ (Oogonium) ଉତ୍ପନ୍ନ ହୁଏ । ଏହି ଅବସ୍ଥାକୁ ପ୍ରଗୁଣନ ଗୁଣନ ପ୍ରାବସ୍ଥା କୁହାଯାଏ ।
ମୂଳ ଡିମ୍ବାଣୁ କୋଷ ତିଆରି ହେଲାପରେ ବୃଦ୍ଧି ପ୍ରାବସ୍ଥାରେ ତାହାର ଆକାରରେ ଉଲ୍ଲେଖନୀୟ ବୃଦ୍ଧି ହୁଏ । ଏହି ସମୟରେ ମୂଳ ଡିମ୍ବାଣୁ କୋଷ ଚାରିପାଖେ କିଛି ଖାଦ୍ୟ ଯୋଗାଉଥିବା କୋଷ ଘେରି ରହେ ।
ମୂଳ ଡିମ୍ବାଣୁ କୋଷର ନିର୍ଦ୍ଦିଷ୍ଟ ବୃଦ୍ଧି ଘଟିବା ପରେ ତାହାକୁ ପ୍ରାଥମିକ ଡିମ୍ବାଣୁ କୋଷ (Primary oocyte) କୁହାଯାଏ ।
ପରିପକ୍ଵନ ପ୍ରାବସ୍ଥାର ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ଡିମ୍ବାଣୁ କୋଷର ଅର୍ଦ୍ଧବିଭାଜନ ହୁଏ । ଫଳରେ 2ଟି ଅପତ୍ୟ କୋଷ ଜାତ ହୁଏ ଯେଉଁଥିରେ ଅର୍ଦ୍ଧେକ ସଂଖ୍ୟକ (n) ଗୁଣସୂତ୍ର ରହିଥାଏ । ତେବେ ଅପତ୍ୟ କୋଷ ଦୁଇଟିରେ କୋଷଜୀବକ ପରିମାଣ କମ୍ ବେଶି ହେବାରୁ ଗୋଟିଏ କୋଷର ଆକାର ଅନ୍ୟ କୋଷଠାରୁ ଯଥେଷ୍ଟ ବଡ଼ ହୁଏ ।
ବଡ଼ କୋଷଟିକୁ ଦ୍ଵିତୀୟକ ଡିମ୍ବାଣୁ କୋଷ (Secondary oocyte) କୁହାଯାଏ । ଛୋଟ କୋଷଟିକୁ ପ୍ରଥମ ପୋଲାର ବଡ଼ି (First polar body) କୁହାଯାଏ । ଏହି ପ୍ରାବସ୍ଥାର ଦ୍ଵିତୀୟ ପର୍ଯ୍ୟାୟରେ ଦ୍ଵିତୀୟକ ଡିମ୍ବାଣୁ କୋଷ ଏବଂ ପ୍ରଥମ ପୋଲାର ବଡ଼ିର ସମବିଭାଜନ ହୋଇଥାଏ । କିନ୍ତୁ ଯେଉଁ ଦୁଇଟି ଅପତ୍ୟ କୋଷ ହୁଏ ସେମାନଙ୍କ ଆକାର ମଧ୍ୟ ବଡ଼ ଛୋଟ ହୋଇଥାଏ । ବଡ଼ କୋଷଟି ଡିମ୍ବାଣୁ ହୁଏ ଓ ସାନଟି ଦ୍ଵିତୀୟ ପୋଲାର ବଡ଼ି ହୁଏ । ସେହିପରି ପ୍ରଥମ ପୋଲାର ବଡ଼ିର ବିଭାଜନ ଫଳରେ ଦୁଇଟି ଅତିରିକ୍ତ ପୋଲାର ବଡ଼ି ତିଆରି ହୁଏ । ପରିପକ୍ୱନ ପ୍ରାବସ୍ଥାର ଶେଷରେ ଗୋଟିଏ ପ୍ରାଥମିକ ଡିମ୍ବାଣୁ କୋଷରୁ ଗୋଟିଏ ଡିମ୍ବାଣୁ ଓ ତିନୋଟି ପୋଲାର ବଡ଼ି ତିଆରି ହୁଏ ।
ପୁରୁଷ ଜନନ ତନ୍ତ୍ର (Male Reproductive System):
ପୁରୁଷ ଜନନ ତନ୍ତ୍ର ମୁଖ୍ୟତଃ (i) ଶୁକ୍ରମୁଣି, (ii) ଶୁକ୍ରାଶୟ, (iii) ଶୁକ୍ରବାହୀନଳୀ, (iv) ମୂତ୍ର ମାର୍ଗ, (v) ଶିଶ୍ନ ଆଦିକୁ ନେଇ ଗଠିତ ।
(i) ଶୁକ୍ରମୁଣି (Scrotal sac):
ପୁରୁଷ ଶରୀରରେ ଥିବା ଦୁଇଟି ଶୁକ୍ରମୁଣି (Scrotal sac) ମଧ୍ୟରେ ଦୁଇଟି ଶୁକ୍ରାଶୟ ଅଛି । ମାନବ ଶରୀରର ତାପମାତ୍ରା ଅଧିକ (37°C); ଶୁକ୍ରମୁଣିର ତାପମାତ୍ରା ଏହା ଠାରୁ 2°C କମ୍, ଯାହା ଶୁକ୍ରାଣୁ ଉତ୍ପତ୍ତି ପାଇଁ ଅନୁକୂଳ । ଏଠାରେ ସୂଚନାଯୋଗ୍ୟ ଯେ ହାତୀ ଓ ତିମି ପରି ସ୍ତନ୍ୟପାୟୀ ପ୍ରାଣୀଙ୍କ ଶୁକ୍ରାଶୟ ଦୁଇଟି ଶରୀର ଭିତରେ ଥାଏ ।
(ii) ଶୁକ୍ରାଶୟ (Testis):
ପୁରୁଷ ଶରୀରରେ ଦୁଇଟି ଶୁକ୍ରାଶୟ ରହିଛି । ବହୁ ଶୁକ୍ରଜନ ନଳିକାକୁ ନେଇ ଏହା ଗଠିତ । ଶୁକ୍ରଜନ ନଳିକାରୁ ଶୁକ୍ରାଣୁ ଉତ୍ପତ୍ତି ହୋଇଥାଏ । ତା’ଛଡ଼ା ଏହି ନଳିକା ବାହାରେ ଓ ବିଭିନ୍ନ ନଳିକାର ଅନ୍ତରାଳରେ ଲେଡିଗ୍ କୋଷ ଦେଖାଯାଏ । ଏହି କୋଷରୁ ଟେଷ୍ଟୋଷ୍ଟେରନ୍ ନାମକ ଏକ ପୁରୁଷ ହରମୋନ୍ କ୍ଷରିତ ହୁଏ । ଶୁକ୍ରଜନ ନଳିକା ଅଧିଚ୍ଛଦରେ ଥିବା କେତେକ ଅପେକ୍ଷାକୃତ ବଡ଼ ଓ ବିଶେଷ ଧରଣର ସର୍ଟୋଲି କୋଷ (Sertoli cell) ଶୁକ୍ରାଣୁର ବିକାଶ ସମୟରେ ଖାଦ୍ୟ ଯୋଗାଇଥାଏ ।
(iii) ଶୁକ୍ରବାହୀନଳୀ (Vas deferens):
ପ୍ରତ୍ୟେକ ଶୁକ୍ରାଶୟରୁ ଗୋଟିଏ ଶୁକ୍ରବାହୀନଳୀ (Vas deferens) ବାହାରି ଉଦର ଗହ୍ଵର ମଧ୍ୟରେ ପ୍ରବେଶ କରେ । ଦୁଇପଟର ନଳୀ ମୂତ୍ରାଶୟର ମୂତ୍ରନଳୀ ସହିତ ମିଶି ମୂତ୍ରମାର୍ଗ ତିଆରି କରନ୍ତି।
(iv) ମୂତ୍ରମାର୍ଗ (Urethra):
ଉଭୟ ଶୁକ୍ରରସ (Semen) ଓ ମୂତ୍ର (Urine) ମୂତ୍ରମାର୍ଗ ଦେଇ ଶିଶ୍ନର ଅଗ୍ରଭାଗରେ ଥିବା ରନ୍ଧ୍ର ମାଧ୍ୟମରେ ଶରୀର ବାହାରକୁ ବାହାରେ ।
ସ୍ତ୍ରୀ ଜନନ ତନ୍ତ୍ର (Female Reproductive System):
ସ୍ତ୍ରୀ ଜନନ ତନ୍ତ୍ର ମୁଖ୍ୟତଃ ଡିମ୍ବାଶୟ (Ovary), ଡିମ୍ବବାହୀ ନଳୀ (Fallopian tubes), ଗର୍ଭାଶୟ (Uterus) ଆଦିକୁ ନେଇ ଗଠିତ।
ଡିମ୍ବାଶୟ (Ovary):
ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ରହିଛି । ଡିମ୍ବାଶୟର ଜାୟକ ଅଧିଚ୍ଛଦରୁ ଡିମ୍ବାଣୁ ଉତ୍ପନ୍ନ ହୁଏ । ଏଥିସହିତ ଡିମ୍ବାଶୟରୁ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ନାମକ ଦୁଇଟି ସ୍ତ୍ରୀ-ହରମୋନ୍, କ୍ଷରିତ ହୁଏ ।
ଯୁବକ୍ରାନ୍ତି ପରେ ପ୍ରତି ମାସରେ ଗୋଟିଏ ଡିମ୍ବାଣୁ ପୂର୍ଣବିକଶିତ ହୋଇ ଡିମ୍ବାଶୟରୁ ବାହାରି ଡିମ୍ବବାହୀନଳୀ ମଧ୍ୟରେ ପ୍ରବେଶ କରେ ।
ଡିମ୍ବାଣୁର ବିକାଶ ଏକ ପ୍ରାଥମିକ ଫଲିକଲ୍ ଭାବେ ଆରମ୍ଭ ହୁଏ । ପରବର୍ତ୍ତୀ ସମୟରେ ଏହାର ବୃଦ୍ଧି ଘଟି ଏହା ଗ୍ରାଫିଆନ୍ ଫଲିକଲ୍ (Graafian follicle)ର ରୂପ ନିଏ ଏବଂ ଏଥିରେ ପରିପକ୍ଵ ଡିମ୍ବାଣୁ ଥାଏ ।
ଡିମ୍ବାଣୁର ନିଜସ୍ଵ ପ୍ଲାଜ୍ମା ଝିଲ୍ଲୀ ଚାରିପଟେ ଜୋନା ପେଳ୍ୟୁସିଡ଼ା (Zona pellucida) ନାମକ ଏକ ଅତିରିକ୍ତ ଝିଲ୍ଲୀ ଥାଏ । ଏହା କିଛି ଫଲିକଲ୍ କୋଷ ଦ୍ଵାରା ଘେରିହୋଇ ରହିଥାଏ । ଏହି ଆବରଣକୁ କରୋନା ରେଡିଏଟା (Corona radiata) କୁହାଯାଏ ।
ଡିମ୍ବୋତ୍ସର୍ଗ ପରେ ଗ୍ରାଫିଆନ୍ ଫଲିକଲ୍ ଜାଗାରେ କର୍ପସ୍ ଲୁଟିୟମ୍ (Corpus luteum) ସୃଷ୍ଟି ହୁଏ । ଏଥିରୁ କ୍ଷରିତ ପ୍ରୋଜେଷ୍ଟିରନ୍ ହର୍ମୋନ୍ ଗର୍ଭାବସ୍ଥାକୁ ବଜାୟ ରଖିବାରେ ସହାୟକ ହୋଇଥାଏ ।
(ii) ଡିମ୍ବବାହୀ ନଳୀ (Fallopian tube):
ସ୍ତ୍ରୀ ଶରୀରରେ ଏକ ଯୋଡ଼ା ଡିମ୍ବବାହୀ ନଳୀ ରହିଛି । ଏହାର ଲମ୍ବ ପ୍ରାୟ 10-12 ସେ.ମି. । ଡିମ୍ବାଶୟ ପଟକୁ ଥିବା ଡିମ୍ବବାହୀ ନଳୀର ମୁହଁ କାହାଳୀ ସଦୃଶ। ଅନ୍ୟ ପଟରେ ଏହା ଜରାୟୁ ବା ଗର୍ଭାଶୟରେ ଖୋଲିଥାଏ। ସାଧାରଣତଃ ଏହି ନଳୀ ମଧ୍ୟରେ ଡିମ୍ବାଣୁ ଓ ଶୁକ୍ରାଣୁର ସମାୟନ ହୋଇ ଯୁଗ୍ମଜ ସୃଷ୍ଟିହୁଏ ।
(iii) ଗର୍ଭାଶୟ (Uterus):
ଗର୍ଭାଶୟ ଏକ ଫମ୍ପା (Hollow) ଏବଂ ପେଶୀବହୁଳ (Muscular) ଅଙ୍ଗ । ଏହାର ଲମ୍ବ ପ୍ରାୟ 7.5 ସେ.ମି. ଏବଂ ଚଉଡ଼ା 5.0 ସେ.ମି. । ଏହା ଉଦର ଗହ୍ଵର ନିମ୍ନ ଭାଗରେ ଠିକ୍ ମୂତ୍ରାଶୟର ପଛକୁ ରହିଛି । ଗର୍ଭାଶୟର ଆଗପଟ ଚଉଡ଼ା ଓ ପଛପଟକୁ ଏହା ନଳିଆ । ଏହି ନଳିଆ ଅଂଶକୁ ଜରାୟୁ ଗ୍ରୀବା (Cervix) କୁହାଯାଏ ।
ସମାୟନ ଓ ସମାୟନ ପରବର୍ତ୍ତୀ ଘଟଣା :
ଡିମ୍ବାଣୁ ସହିତ ଶୁକ୍ରାଣୁର ମିଳନକୁ ସମାୟନ କୁହାଯାଏ । ସମାୟନ ଦ୍ଵାରା ଏକ ଏକକୋଷୀ ଯୁଗ୍ମଜ ସୃଷ୍ଟି ହୁଏ ।
ସମବିଭାଜନ ଦ୍ଵାରା ଯୁଗ୍ମଜର ବାରମ୍ବାର ଭାଜନ (Clevage) ପ୍ରକ୍ରିୟା ଦ୍ଵାରା ଏକକୋଷୀ ଯୁଗ୍ମଜରୁ ଏକ ବହୁକୋଷୀ ବ୍ଲାଷ୍ଟ୍ରଲା (Blastula) ସୃଷ୍ଟି ହୁଏ ।
ବିଭେଦିତ ବ୍ଲାଷ୍ଟ୍ରଲା ବ୍ଲାଷ୍ଟୋସିଷ୍ଟ (Blastocyst) ରେ ପରିଣତ ହୋଇ ଗର୍ଭାଶୟର କାନ୍ଥରେ ନିବିଡ଼ଭାବେ ଲାଗିରହେ । ଏହି ପ୍ରକ୍ରିୟାକୁ ଅନ୍ତଃରୋପଣ (Implantation) କୁହାଯାଏ ।
ଭ୍ରୂଣବନ୍ଧ ବା ପ୍ଲାସେଣ୍ଟା (Placenta) ଜରିଆରେ ଗର୍ଭାଶୟ ସହିତ ଭ୍ରୂଣ ଏକ ଜୈବିକ ସମ୍ବନ୍ଧ ସ୍ଥାପନ କରେ । ଭ୍ରୂଣ ଏବଂ ଗର୍ଭାଶୟ ଉଭୟଙ୍କର କିଛି ଅଂଶ ଦ୍ଵାରା ଏହା ଗଠିତ। ଭ୍ରୂଣବନ୍ଧ ଦେଇ ଭ୍ରୂଣ ମାଆ ଶରୀରରୁ ନାଭିରଜ୍ଜୁ (Umbilical cord) ଦ୍ଵାରା ଖାଦ୍ୟ ଓ ଅମ୍ଳଜାନ ଗ୍ରହଣ କରେ । ସେହିପରି ଭ୍ରୂଣ ମଧ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ ପ୍ଲାସେଣ୍ଟା ବାଟଦେଇ ମାଆ ଶରୀରକୁ ଓ ପରେ ବାହାରକୁ ଆସେ ।
ଅନ୍ତଃରୋପଣ ପରେ ଗାଷ୍ଟ୍ରୁଲେସନ୍ (Gastrulation) ପ୍ରକ୍ରିୟା ଦ୍ୱାରା ତିନୋଟି ଜାୟକ ସ୍ତର (Germ layer) ବିଶିଷ୍ଟ ଏକ ଗାଷ୍ଟ୍ରୁଲା (Gastrula) ତିଆରି ହୁଏ । ଗାଷ୍ଟ୍ରୁଲାର ତିନୋଟି ଜାୟକ ସ୍ତର ହେଉଛି ଏକ୍ଟୋଡର୍ମ (Ectoderm), ମେସୋଡର୍ମ (Mesoderm) ଓ ଏଣ୍ଡୋଡର୍ମ (Endoderm) ।
ଏବେ ଅଙ୍ଗବିକାଶ (Organogenesis) ଦ୍ଵାରା ଏହି ତିନୋଟି ଜାୟକ ସ୍ତରରୁ ବିଭିନ୍ନ ପ୍ରକାର ଟିସୁ, ଅଙ୍ଗ (Organ) ଓ ଅଙ୍ଗ ତନ୍ତ୍ର (Organ system) ତିଆରି ହୁଏ । ଶେଷ ପର୍ଯ୍ୟାୟରେ ଗର୍ଭାଶୟରେ ସୃଷ୍ଟି ହୋଇଥିବା ପୂର୍ଣବିକଶିତ ଶିଶୁ ପ୍ରସବ (Parturition) ଦ୍ୱାରା ମାଆ ଶରୀର ବାହାରକୁ ଆସେ।
ବେଳେ ବେଳେ ଏକ ଅସାଧାରଣ ଘଟଣାକ୍ରମେ ଅନ୍ତଃରୋପଣ ପ୍ରକ୍ରିୟା ଗର୍ଭାଶୟ ମଧ୍ୟରେ ନ ଘଟି ଡିମ୍ବବାହୀନଳୀ ମଧ୍ୟରେ ହୁଏ । ଏହାକୁ ଅସ୍ଥାନିକ ଗର୍ଭ (Ectopic pregnancy) କୁହାଯାଏ । ଅସ୍ଥାନିକ ଗର୍ଭଧାରଣ ଯୋଗୁଁ ସାଧାରଣତଃ ସ୍ତ୍ରୀର ମୃତ୍ୟୁ ହୋଇପାରେ ।