Skip to main content

ପ୍ରାଣୀରେ ଜନନ || ଜନନ (Reproduction) || Class X || Notes


ପ୍ରାଣୀରେ ଜନନ

 ଅଲିଙ୍ଗୀ ଜନନ :
(i) ବିଭାଜନ :
ଏହି ପ୍ରକ୍ରିୟା 2 ପ୍ରକାରର – ଦ୍ଵିବିଭାଜନ ଓ ବହୁ ବିଭାଜନ
ଦ୍ଵିବିଭାଜନ : 
    ଦ୍ଵିବିଭାଜନ ଜନନ ପ୍ରକ୍ରିୟା ଏମିବା (Amoeba), ପାରାମିସିଅମ (Paramecium) ଓ ଇଉଗ୍ଲିନା (Euglena) ପରି ଜୀବମାନଙ୍କଠାରେ ଦେଖାଯାଏ । ଏହି ପ୍ରକାର ଜନନ ଦ୍ଵାରା ମାତୃ ଜୀବଠାରୁ ଦୁଇଟି ଅପତ୍ୟ ସୃଷ୍ଟି ହୁଏ ।
    ଏମିବା ମଧୁର ଜଳରେ ରହେ । ଅନୁକୂଳ ପରିସ୍ଥିତିରେ (ପରିବେଶର ତାପମାତ୍ରା ପ୍ରାୟ 25°C ଓ ପ୍ରଚୁର ଖାଦ୍ୟ) ଏମିବା ଶରୀରର ବୃଦ୍ଧି ଘଟେ। ସର୍ବବୃହତ୍ ଆକାରରେ ପହଞ୍ଚିବା ପରେ ନିଜର କୂଟପଦ (Pseudopodia) ଗୁଡ଼ିକ ପ୍ରତ୍ୟାହାର କରି ଏହା ପ୍ରାୟ ଗୋଲ ଆକାର ଧାରଣ କରେ । ଏହା ଆଉ ଖାଦ୍ୟ ଗ୍ରହଣ କରେ ନାହିଁ ଓ କୋଷ ବିଭାଜନ ପାଇଁ ପ୍ରସ୍ତୁତ ହୁଏ । ସମବିଭାଜନ ଦ୍ଵାରା ଗୋଟିଏ ମାତୃ ଏମିବାରୁ ଦୁଇଟି ଅପତ୍ୟ ସୃଷ୍ଟି ହୁଏ । ଅପତ୍ୟମାନଙ୍କ ଶରୀରରେ କୂଟପାଦ ସୃଷ୍ଟି ହୁଏ । କୂଟପାଦ ସାହାଯ୍ୟରେ ଏମାନେ ପରିବେଶରୁ ଖାଦ୍ୟ ସଂଗ୍ରହ କରି ସ୍ଵାଧୀନଭାରେ ଜୀବନଯାପନ କରନ୍ତି । ଏହି ପ୍ରକ୍ରିୟା ସମ୍ପୂର୍ଣ ହେବାକୁ ପ୍ରାୟ ୩୦ ମିନିଟ୍ ସମୟ ଲାଗେ।  ଦ୍ଵିବିଭାଜନ ପରି ଏକ ସରଳ ପ୍ରକ୍ରିୟାରେ ବଂଶବୃଦ୍ଧି କରୁଥୁବା ଏମିବାର ବୃଦ୍ଧାବସ୍ଥା (Senescence) ନଥାଏ ଓ ଏହାର ପ୍ରାକୃତିକ ମୃତ୍ୟୁ ହୁଏନାହିଁ । ସେସବୁ ଦୃଷ୍ଟିରୁ ଏମିବା ଅମର (Immortal) । 

    ପାରାମିସିଅମରେ କୋଷ ବିଭାଜନ ଅନୁପ୍ରସ୍ଥ (Transverse) ପୃଷ୍ଠରେ ସମ୍ପାଦିତ ହେଉଥିବାରୁ ଏହାକୁ ଅନୁପ୍ରସ୍ଥ ଦ୍ଵିବିଭାଜନ କୁହାଯାଏ । 
        ଇଉଗ୍ନିନାରେ ବିଭାଜନ ପୃଷ୍ଠ ଅନୁଲମ୍ବ (Longitudinal) ଭାବେ ହେଉଥିବାରୁ ଏହାକୁ ଅନୁଲମ୍ବ ଦ୍ଵିବିଭାଜନ କୁହାଯାଏ ।
ବହୁବିଭାଜନ : 
    ଖରାଦିନେ ଏମିବା ରହୁଥ‌ବା ପୋଖରୀ, ଗାଡ଼ିଆରୁ ପାଣି ଶୁଖୁଗଲେ ବା ଅତ୍ୟଧୂକ ଥଣ୍ଡା ଯୋଗୁଁ ପାଣି ବରଫ ହୋଇଗଲେ, ଏମିବା କୂଟପାଦଗୁଡ଼ିକୁ ପ୍ରତ୍ୟାହାର କରି ନିଜ ଶରୀର ଚାରିପଟେ ତିନିସ୍ତର ବିଶିଷ୍ଟ ଏକ କଠିନ ଆବରଣ ବା କୋଷ୍ଠିକା (Cyst) ତିଆରିକରି ରହେ । ଏହି ସମୟରେ ତାର ଚୟାପଚୟ କ୍ରିୟା ହ୍ରାସପାଏ । ବାରମ୍ବାର ନ୍ୟଷ୍ଟି ବିଭାଜନ ଦ୍ଵାରା ଏମିବା ଶରୀରରେ 500-600ଟି ଛୋଟ ନ୍ୟଷ୍ଟି ତିଆରି ହୁଏ । ପ୍ରତ୍ୟେକ ନ୍ୟଷ୍ଟି କିଛି ପରିମାଣର କୋଷଜୀବକ ଦ୍ୱାରା ଆବୃତ ହୋଇ ରହେ । ଏହିପରି ଭାବେ ସୃଷ୍ଟ ଅପତ୍ୟଗୁଡ଼ିକୁ ‘କୁନି ଏମିବା’ ବା ଏମିବ୍ୟୁଲା (Amoebula) କୁହାଯାଏ । ବର୍ଷାଦିନର ଆଗମନରେ ପରିସ୍ଥିତି ଅନୁକୂଳ ହେଲେ ଏହି କଠିନ ଆବରଣ ଜଳ ସଂସ୍ପର୍ଶରେ ଆସି ଫାଟିଯାଏ । କୋଷ୍ଠିକା ଭିତରେ ଥିବା ଅପତ୍ୟ କୁନି ଏମିବାମାନେ ବାହାରକୁ ଚାଲିଆସନ୍ତି । ପରେ ସେମାନଙ୍କର ଶରୀରରେ କୂଟପାଦ ସୃଷ୍ଟି ହୁଏ ଓ ସେମାନେ ପରିବେଶରୁ ଖାଦ୍ୟ ଗ୍ରହଣ କରି ସାଧରଣ ଜୀବନଯାପନ କରନ୍ତି । ଏମିବାର ଏହି ପ୍ରକାର ବହୁବିଭାଜନ ଜନନ କ୍ରିୟାକୁ ସ୍କୋରୁଲେସନ୍ (Sporulation) ମଧ୍ୟ କୁହାଯାଏ । 

    ମଣିଷଠାରେ ମ୍ୟାଲେରିଆ ରୋଗ ସୃଷ୍ଟି କରୁଥିବା ପ୍ଲାଜ୍‌ମୋଡ଼ିୟମ୍‌ (Plasmodium) ମଧ୍ୟ ବହୁବିଭାଜନ ଦ୍ଵାରା ନିଜର ବଂଶ ବୃଦ୍ଧି କରେ । ସଂକ୍ରମିତ ମଶା କାମୁଡ଼ିବା ସମୟରେ ପ୍ଲାଜ୍‌ମୋଡ଼ିୟମ୍‌ର ସ୍ପୋରୋଜୋଏଟ୍ (Sporozoite) ମଣିଷର ରକ୍ତ ପ୍ରବାହ ଦେଇ ଯକୃତ୍ କୋଷ ମଧ୍ୟରେ ପ୍ରବେଶ କରି ବହୁବିଭାଜନ ଦ୍ଵାରା ବଂଶବୃଦ୍ଧି କରେ । ଏହି ପ୍ରକାର ବହୁବିଭାଜନକୁ ସାଇଜୋଗୋନି (Schizogony) କୁହାଯାଏ ।

କୋରକୋଦ୍‌ଗମ (Budding):
    କେତେକ ଏକକୋଷୀ ପ୍ରାଣୀ, ସ୍ପଞ୍ଜ ଓ ହାଇଡ୍ରାପରି ବହୁକୋଷୀ ପ୍ରାଣୀ କୋରକୋଦ୍‌ଗମ ଉପାୟରେ ଅଲିଙ୍ଗୀ ଜନନ ଦ୍ଵାରା ନିଜର ବଂଶବିସ୍ତାର କରନ୍ତି। ଏହା ଦୁଇ ପ୍ରକାର, ଯଥା –  ବାହ୍ୟ କୋରକୋଦ୍‌ଗମ (External budding) ଓ ଅନ୍ତଃ କୋରକୋଦ୍‌ଗମ (Internal budding) |

ବାହ୍ୟ କୋରକଗମ:
    ପରିବେଶ ଯେତେବେଳେ ଅନୁକୂଳ ଓ ଖାଦ୍ୟପଦାର୍ଥ ପ୍ରଚୁର ଭାବେ ମିଳେ, ସେତେବେଳେ ସୁସ୍ଥ ଏବଂ ବୟଃପ୍ରାପ୍ତ ହାଇଡ୍ରା କୋରକୋଦ୍‌ଗମ ଉପାୟରେ ବଂଶ ବିସ୍ତାର କରିଥାଏ । ପ୍ରାରମ୍ଭିକ ଅବସ୍ଥାରେ ହାଇଡ୍ରା ଶରୀରର ମଧ୍ୟଭାଗରେ ଏକ ନିର୍ଦ୍ଦିଷ୍ଟ ପ୍ରକାର କୋଷ ଏକାଠି ହେବାଦ୍ଵାରା ଏକ ଛୋଟ ଆବୁ ଭଳି କୋରକ ସୃଷ୍ଟି ହୁଏ । ଏହି ଅଞ୍ଚଳକୁ କୋରକୋଦ୍‌ଗମ ଅଞ୍ଚଳ କୁହାଯାଏ । ଏହି ଆବୁ ଧୀରେ ଧୀରେ (Budding zone) ବଡ଼ ହୁଏ, ଏହା ମଧ୍ୟକୁ  ଶରୀରର ଗୁହାନ୍ତ୍ର (Coelenteron) ପ୍ରବେଶ କରେ । ଆବୁର ଅଗ୍ରଭାଗରେ ତାରା ଆକାରର ଏକ ପାଟି ଓ ପାଟିର ଚାରିପଟେ କର୍ଷିକା (Tentacle) ସୃଷ୍ଟିହୁଏ । ଏବେ ଏହା ଏକ ଛୋଟ ହାଇଡ୍ରା ପରି ଦେଖାଯାଏ । ଏହା ମାତୃହାଇଡ୍ରା ସହିତ ଲାଗି ରହିଥିଲେ ମଧ୍ୟ ନିଜ କର୍ଷିକା ସାହାଯ୍ୟରେ ଖାଦ୍ୟ ସଂଗ୍ରହ କରେ । ଅପତ୍ୟ ହାଇଡ୍ରାର ସମ୍ପୂର୍ଣ ବୃଦ୍ଧି ପରେ ଏହାର ମୂଳଅଂଶ ସଂକୁଚିତ ହୁଏ, ଏହା ମାତୃ ହାଇଡ୍ରା ଠାରୁ ବିଚ୍ଛିନ୍ନ ହୁଏ ଓ ପରି ବେଶରୁ ଖାଦ୍ୟ ସଂଗ୍ରହକରି ସାଧାରଣ ଜୀବନଯାପନ କରେ । ଏହି ପ୍ରକ୍ରିୟା ପାଇଁ 48 ରୁ 96 ଘଣ୍ଟା ସମୟ ଲାଗେ ।

ଅନ୍ତଃ କୋରକୋଦଗମ:
    ପ୍ରତିକୂଳ ପରିବେଶ ଓ ଖାଦ୍ୟପଦାର୍ଥର ଅଭାବ ଦେଖାଦେଲେ ସ୍ପଞ୍ଜ ନିଜ ଶରୀର ଭିତରେ ଜେମ୍ୟୁଲ୍ (Gemmule) ତିଆରି କରେ । ଏହି ପ୍ରକ୍ରିୟାର ପ୍ରାରମ୍ଭରେ ଏକ ସ୍ଵତନ୍ତ୍ର ପ୍ରକାରର କେତେକ କୋଷ ଆର୍କିଓସାଇଟ୍ (Archaeocyte) ଏକତ୍ରିତ ହୁଅନ୍ତି । ଏଗୁଡ଼ିକର ଚାରିପଟେ ଏକ କଠିନ ଆବରଣ ସୃଷ୍ଟିହୋଇ ଏହା ଜେମ୍ୟୁଲରେ ପରିଣତ ହୁଏ । ମାଇକ୍ରୋପାଇଲ୍ (Micropyle) ନାମକ ଏକ ରନ୍ଧ୍ର ଦ୍ଵାରା ଏହା ବାହାରକୁ ଖୋଲାଥାଏ । ପରିବେଶ ଅନୁକୂଳ ହେଲେ ଜେମ୍ୟୁଲ୍ ଭିତରେ ଥିବା କୋଷଗୁଡ଼ିକ ମାଇକ୍ରୋପାଇଲ ବାଟଦେଇ ବାହାରକୁ ଆସି ନୂଆ ସ୍ପଞ୍ଜ ସୃଷ୍ଟି କରନ୍ତି ।

ପୁନରୁଭବନ:
    ପ୍ରାଣୀ ଶରୀରରୁ କଟିଯାଇଥିବା ବା ଭାଙ୍ଗିଯାଇଥିବା ପ୍ରତ୍ୟେକ ଖଣ୍ଡରୁ ପୁନରୁଭବନ ଦ୍ୱାରା ଏକ ସମ୍ପୂର୍ଣ୍ଣ ଜୀବ ଜାତ ହୁଏ । ହାଇଡ୍ରାର ଶରୀରକୁ ଖଣ୍ଡଖଣ୍ଡ କରି କାଟିଲେ କିଛିଦିନ ପରେ ପ୍ରତ୍ୟେକ କଟା ଖଣ୍ଡରୁ ଗୋଟିଏ ଲେଖାଏଁ ସମ୍ପୂର୍ଣ ପୂର୍ଣ୍ଣ ବିକଶିତ ହାଇଡ୍ରା ଜାତ ହୁଏ । 
    ଏଠାରେ ସୂଚନା ଦିଆଯାଇପାରେ ଯେ ପ୍ରାଣୀମାନଙ୍କ ଶରୀରରେ ଏକ ପ୍ରକାର ସର୍ବପ୍ରସୂ ବା ପୂର୍ଣ୍ଣବିଭବି (Totipotent cell) ଥାଏ । ଏହା ପ୍ରାଣୀ ଶରୀର ଗଠନ ପାଇଁ ଆବଶ୍ୟକ ଅନ୍ୟ ସମସ୍ତ ପ୍ରକାର କୋଷ ବା ଟିସୁ ତିଆରି କରିପାରେ । ଫଳରେ କଟିଯାଇଥିବା ଅଂଶରୁ ଏକ ନୂଆ ପ୍ରାଣୀ ଜାତ ହୁଏ ।