Skip to main content

ସପୁଷ୍ପକ ଉଦ୍ଭିଦରେ ଲିଙ୍ଗୀୟ ଜନନ || ଜନନ (Reproduction) || Class X || Notes

  

ସପୁଷ୍ପକ ଉଦ୍ଭିଦରେ ଲିଙ୍ଗୀୟ ଜନନ

    ଫୁଲର ବିଭିନ୍ନ ଅଂଶ ହେଲା ବୃତିମଣ୍ଡଳ (Calyx), ଦଳମଣ୍ଡଳ (Corolla), ପୁଂକେଶର ଚକ୍ର (Androecium) ଓ ଫଳିକା ଚକ୍ର (Gynoecium) । ପୁଂକେଶର (Stamen) ଏବଂ ଫଳିକା ଚକ୍ରର ଫଳିକା (Carpel) ହେଉଛି ଫୁଲର ଜନନାଂଶ ।


    କେବଳ କେଶର ବା କେବଳ ଫଳିକା ଥିବା ଫୁଲକୁ ଏକଲିଙ୍ଗୀ (Unisexual) ଫୁଲ କୁହାଯାଏ (ଯଥା-କଖାରୁ, ଅମୃତଭଣ୍ଡା ଇତ୍ୟାଦି) । ଅନ୍ୟ ପକ୍ଷରେ ଉଭୟ କେଶର ଓ ଫଳିକା ଥିବା ଫୁଲକୁ  ଦ୍ଵିଲିଙ୍ଗୀ (Bisexual) ଫୁଲ କୁହାଯାଏ (ଯଥା- ମନ୍ଦାର, ସୋରିଷ ଇତ୍ୟାଦି)।



ପରାଗସଙ୍ଗମ ବା ପରାଗଣ :

    ଫୁଲରେ ଥିବା ପରାଗରେଣୁ ବିଭିନ୍ନ ମାଧ୍ୟମରେ ଆସି ଫୁଲର ଗର୍ଭଶୀର୍ଷ (Stigma)ରେ ପଡ଼େ । ଏହାକୁ ପରାଗସଙ୍ଗମ ବା ପରାଗଣ (Pollination) କୁହାଯାଏ । 
    କେତେକ ଉଦ୍ଭିଦରେ ଗୋଟିଏ ଫୁଲର ପରାଗରେଣୁ ସେହି ଫୁଲର ଗର୍ଭଶୀର୍ଷରେ ପଡ଼ି ତାହାର ଡିମ୍ବାଣୁକୁ ସମାୟନ କରେ । ଏହାକୁ ସ୍ୱ-ପରାଗଣ (Self-pollination) କୁହାଯାଏ । କିନ୍ତୁ ଅଧିକାଂଶ ଉଦ୍ଭିଦରେ ଗୋଟିଏ ଜାତିର ଫୁଲର ପରାଗରେଣୁ ପତଙ୍ଗ, ପକ୍ଷୀ, ଜଳ, ବାୟୁ ଆଦି ମାଧ୍ୟମରେ ଆସି ସେହି ଜାତିର ଅନ୍ୟ ଏକ ଫୁଲର ଗର୍ଭଶୀର୍ଷରେ ପଡ଼େ ଓ ପରେ ଗର୍ଭାଧାନ ହୁଏ । ଏହାକୁ ପରପରାଗଣ (Cross pollination) କୁହାଯାଏ । 

ଫଳିକା ଓ ଗର୍ଭାଶୟ :

ଫଳିକାର ତିନୋଟି ଅଂଶ ଥାଏ। ଏହାର ସ୍ଫୀତ ନିମ୍ନଭାଗ ହେଉଛି ଗର୍ଭାଶୟ (Ovary), ମଧ୍ୟଭାଗଟି ଗର୍ଭଦଣ୍ଡ (Style) ଓ ଉପରିଭାଗ ଗର୍ଭଶୀର୍ଷ (Stigma) । 
ଡିମ୍ବକ (Ovule) ଟି ଗୋଟିଏ ବୃନ୍ତଦ୍ୱାରା ଗର୍ଭାଶୟ ସହ ସଂଯୁକ୍ତ ହୋଇଥାଏ । ଡିମ୍ବକ ମଧ୍ୟରେ ଥିବା ଡିମ୍ବକାୟା (Nucellus) କୁ ଆବୃତ କରି ଗୋଟିଏ ବା ଦୁଇଟି ଆଚ୍ଛଦ (Integument) ଥାଏ । 
ଆଚ୍ଛଦ ଅଗ୍ରଭାଗର ମିଳନ ସ୍ଥାନରେ ଗୋଟିଏ ଛିଦ୍ର ରହିଥାଏ ଯାହାକୁ ବୀଜରନ୍ଧ୍ର (Micropyle) କୁହାଯାଏ । 
ଡିମ୍ବକାୟାରେ ଗୋଟିଏ ଭ୍ରୂଣାଶୟ (Embryo sac) ଥାଏ । 
ଭ୍ରୂଣାଶୟର ଅଗ୍ରଭାଗରେ ଗୋଟିଏ ଡିମ୍ବକୋଷ (Egg cell) ଓ ତାହାର ଦୁଇପାଖରେ ଦୁଇଟି ସହାୟକ କୋଷ (Synergids) ରହିଥାଏ । 
ବୃନ୍ତଆଡ଼କୁ ତିନିଟି ପ୍ରତିମୁଖ କୋଷିକା (Antipodal cells) ରହିଥାଏ । ଭୂଣାଶୟ ମଧ୍ୟଭାଗରେ ଲାଗି ଲାଗି ରହିଥ‌ବା ଦୁଇଟି ନ୍ୟଷ୍ଟିକୁ ମେରୁନ୍ୟଷ୍ଟି (Polar nucleus) କୁହାଯାଏ ।

ସମାୟନ (Fertilization):

    ପରାଗରେଣୁ ଗର୍ଭଶୀର୍ଷରେ ପଡ଼ିବା ପରେ ତାହାର ବାହାର ଆବରଣଟି ଫାଟିଯାଏ । ଭିତର ଆବରଣଟି ଗୋଟିଏ ନଳୀ ଆକାରରେ ବାହାରେ ଓ ପରାଗ ଅଙ୍କୁରିତ ହୁଏ । ଏହି ନଳୀ ଗର୍ଭଦଣ୍ଡ ମଧ୍ୟଦେଇ ଭ୍ରୂଣାଶୟ ଆଡ଼କୁ ବଢ଼େ । ଏହାକୁ ପରାଗ ନଳୀ (Pollen tube) କୁହାଯାଏ । 
    ପରାଗ ଅଙ୍କୁରିତ ହେବା ସମୟରେ ଏହା ସମବିଭାଜନ ପ୍ରକ୍ରିୟାରେ ବିଭାଜିତ ହୋଇ ପ୍ରଥମେ ଅଙ୍ଗାୟକୋଷ (Vegetative cell) ଓ ଜନନ (Generative cell) ସୃଷ୍ଟି କରେ । 
    ଜନନ କୋଷ ପୁନର୍ବାର ଏହି ପ୍ରକ୍ରିୟାରେ ବିଭାଜିତ ହୋଇ ଦୁଇଟି ପୁଂଯୁଗ୍ମକ ସୃଷ୍ଟିକରେ ।      କ୍ରମେ ପରାଗ ନଳୀ ବୀଜରନ୍ଧ୍ର ବାଟଦେଇ ଡିମ୍ବାଶୟରେ ଥିବା ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କରେ । 
    ସେଠାରେ ପରାଗ ନଳୀର ଅଗ୍ରଭାଗ ଫାଟିଯିବା ଦ୍ୱାରା ପୁଂଯୁଗ୍ମକ ଦୁଇଟି ଭ୍ରୂଣାଶୟ ମଧ୍ୟକୁ ଚାଲିଆସନ୍ତି । ଗୋଟିଏ ପୁଂଯୁଗ୍ମକ ସ୍ତ୍ରୀ ଯୁଗ୍ମକ ବା ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମଜ ଗଠନ କରେ।  ଏଥୁରୁ ଭ୍ରୂଣର ଉତ୍ପରି ହୁଏ ।
    ଅନ୍ୟ ପୁଂଯୁଗ୍ମକଟି, ଦ୍ଵିତୀୟକ ନ୍ୟଷ୍ଟି ସହିତ ମିଳିତ ହୋଇ ଭ୍ରୂଣପୋଷ ନ୍ୟଷ୍ଟି (Endosperm nucleus) ଗଠନ କରେ । ଭ୍ରୂଣପୋଷ ନ୍ୟଷ୍ଟିରୁ ଭ୍ରୂଣପୋଷ (Endosperm) ଜାତ ହୁଏ ଏବଂ ଏହା ବର୍ଦ୍ଧିଷ୍ଣୁ ଭ୍ରୂଣକୁ ପୋଷଣ ଯୋଗାଇଥାଏ । 
    ପରାଗ ନଳୀରୁ ଦୁଇଟିଯାକ ପୁଂଯୁଗ୍ମକ ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କଲାପରେ ନଳୀ ନ୍ୟଷ୍ଟିଟି ପରାଗ ନଳୀ ଭିତରେ ନଷ୍ଟ ହୋଇଯାଏ । 
    ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନକୁ ସମାୟନ (Fertilization) କୁହାଯାଏ । ପ୍ରକୃତରେ ସପୁଷ୍ପକ ଆବୃତବୀଜୀ ଉଭିଦରେ ଦୁଇଟି ସମାୟନ କ୍ରିୟା ଦେଖୁବାକୁ ମିଳେ। ପ୍ରଥମଟି ହେଲା, ଗୋଟିଏ ପୁଂଯୁଗ୍ମକ ସହିତ ଡିମ୍ବାଣୁ ବା ଡିମ୍ବକୋଷର ସମାୟନ ଓ ଅନ୍ୟଟି ହେଲା ଦ୍ଵିତୀୟକ ନ୍ୟଷ୍ଟି ସହିତ ଦ୍ଵିତୀୟ ପୁଂଯୁଗ୍ମକର ମିଳନ। ପ୍ରଥମ ପ୍ରକ୍ରିୟାରେ ଯୁଗ୍ମଜ ସୃଷ୍ଟି ହେଉଥିବାବେଳେ ଦ୍ଵିତୀୟ ପ୍ରକ୍ରିୟାରେ ଭୂଣପୋଷ ନ୍ୟଷ୍ଟି ସୃଷ୍ଟି ହୁଏ । ଯୁଗ୍ମଜର କ୍ରୋମୋଜୋମ୍ ବା ଗୁଣସୂତ୍ର ସଂଖ୍ୟା ଦ୍ଵିଗୁଣିତ (2n) ହୋଇଥିବା ବେଳେ ଭ୍ରୂଣପୋଷର ଗୁଣସୂତ୍ର ସଂଖ୍ୟା ସାଧାରଣତଃ ତ୍ରିଗୁଣିତ (3n) ହୋଇଥାଏ । ସପୁଷ୍କକ ଉଦ୍ଭିଦର ଏହି ପ୍ରକିୟାକୁ ଦ୍ଵିସମାୟନ (Double fertilization) କୁହାଯାଏ । 
    ସମାୟନ ପରେ ଯୁଗ୍ମଜ ବାରମ୍ବାର ବିଭାଜିତ ହୋଇ ଡିମ୍ବକ ମଧ୍ୟରେ ଏକ ଭ୍ରୂଣ (Embryo) ସୃଷ୍ଟି କରେ । ଭ୍ରୂଣ ଏକ କଠିନ ଆବରଣ ଦ୍ଵାରା ଆବୃତ ହୋଇ ବୀଜ ବା ମଞ୍ଜିରେ ପରିଣତ ହୁଏ । ଏହି ସମୟ ମଧ୍ୟରେ ଡିମ୍ବାଶୟ ବୃଦ୍ଧିପାଇ ଫଳ (Fruit) ରେ ପରିଣତ ହୁଏ ଏବଂ ବୃତି, ଦଳମଣ୍ଡଳ ଆଦି ଶୁଖୁ ଝଡ଼ିଯାଆନ୍ତି ।
    ମଞ୍ଜି ମଧ୍ୟରେ ଭ୍ରୂଣ ବା ଭବିଷ୍ୟତର ଉଭିଦଟି ରହିଥାଏ । ଉପଯୁକ୍ତ ପାରିପାତ୍ଵିକ ଅବସ୍ଥାରେ ଏହା ଅଙ୍କୁରିତ ହୋଇ ଚାରା (Seedling)ରେ ପରିବର୍ଦ୍ଧିତ ହୁଏ ଓ ପରବର୍ତ୍ତୀ ସମୟରେ ଏହା ଏକ ନୂତନ ଉଭିଦକୁ ଜନ୍ମଦିଏ । ଏହି ପ୍ରକ୍ରିୟାକୁ ବୀଜ ଅଙ୍କୁରୋଦ୍‌ଦ୍ଗମ (Seed germination) କୁହାଯାଏ ।