Skip to main content

ଉଦ୍ଭିଦରେ ଜନନ || ଜନନ (Reproduction) || Class X || Notes

 

ଉଦ୍ଭିଦରେ ଜନନ

ଉଦ୍ଭିଦରେ ବଂଶ ବିସ୍ତାର ଉଭୟ ଅଲିଙ୍ଗୀ ଜନନ ଓ ଲିଙ୍ଗୀୟ ଜନନ ପ୍ରକ୍ରିୟାରେ ସମ୍ପନ୍ନ ହୋଇଥାଏ ।  

ଅଲିଙ୍ଗୀ ଜନନ :

    ଉଦ୍ଭିଦରେ ଅଲିଙ୍ଗୀଜନନ ନିମ୍ନୋକ୍ତ ପ୍ରକାରର ହୋଇଥାଏ, ଯଥା - ବିଭାଜନ (Fission), କଳିକନ (Budding), ରେଣୁଭବନ (Sporulation) ଓ ଅଙ୍ଗୀୟ ଜନନ (Vegetative Propagation) 

(i) ବିଭାଜନ (Fission):

  • ଏହି ପ୍ରକ୍ରିୟାରେ ନ୍ୟଷ୍ଟି ଓ କୋଷଜୀବକ ଦୁଇଟି ସମାନଭାଗରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟି ହୋଇଥାଏ । ଏହାକୁ ଦ୍ଵିବିଭାଜନ (Binary Fission) କୁହାଯାଏ ।
  • ବୀଜାଣୁ (Bacteria) ଓ କେତେକ ଏକକୋଷୀ ଶୈବାଳ (Algae) ଆଦିରେ ଏହି ପ୍ରକାର ବିଭାଜନ ଦେଖାଯାଏ ।  

(ii) କଳିକନ ବା କୋରକୋଦଗମ (Budding):

  • ଏହି ପ୍ରକ୍ରିୟାରେ ମୂଳ ମାତୃକୋଷ (Mother Cell) ରୁ ଜାତ ଅପତ୍ୟ କୋଷ (Daughter Cell) କଳିକା ବା କୋରକ (Bud) ଆକାରରେ ସୃଷ୍ଟି ହୋଇଥାଏ । 
  • ଏହି କଳିକା କ୍ରମଶଃ ବୃଦ୍ଧିପାଇ ମାତୃକୋଷରୁ ବିଚ୍ଛିନ୍ନ ହୁଏ ଏବଂ ଶେଷରେ ଏକ ପୂର୍ଣ୍ଣାଙ୍ଗ ଇଷ୍ଟକୋଷରେ ପରିଣତ ହୁଏ । 
  • ଏହି ପ୍ରକ୍ରିୟାକୁ କଳିକନ ବା କୋରକୋଦଗମ (Budding) କୁହାଯାଏ । 
  • ଇଷ୍ଟ ଓ ହାଇଡ୍ରା ଆଦିରେ ଏହି ପ୍ରକ୍ରିୟାରେ ବଂଶବୃଦ୍ଧି କରିଥାଏ 


 (iii) ରେଣୁଭବନ (Sporulation):

  • ରେଣୁଭବନ (Sporulation) ଦ୍ୱାରା ଅପୁଷ୍ପକ ଉଦ୍ଭିଦର ବଂଶବୃଦ୍ଧି ହୋଇଥାଏ । 
  • ଛତୁ ଓ ଫିମ୍ପି ଜାତୀୟ କବକ ଏହି ପ୍ରକ୍ରିୟାରେ ବଂଶବୃଦ୍ଧି କରନ୍ତି । 
  • ଏହି କବକରେ ଅସଂଖ୍ୟ କଳାରଙ୍ଗର ରେଣୁ ଦେଖାଯାଏ । 
  • ଏହି ରେଣୁଗୁଡିକ ନିର୍ଗତ ହୋଇ ଜଳ ବା ବାୟୁରେ ଭାସିବୁଲନ୍ତି  ଓ ଅନୁକୂଳ ପରିବେଶ ମିଳିଲେ ଅଙ୍କୁରିତ ହୋଇ ନୂତନ ଉଦ୍ଭିଦ ସୃଷ୍ଟି କରନ୍ତି । 
  • ୟୁଲୋଥ୍ରିକସ (Ulothrix) ପରି ଶୈବାଳ ଚଳ ରେଣୁ (Zoospore) ଏବଂ ପେନିସିଲିୟମ (Penicillium) ପରି କବକ ଅଚଳରେଣୁ (Conidia) ଦ୍ୱାରା ବଂଶ ବୃଦ୍ଧି କରନ୍ତି । 
  • ପାଇଥିୟମ (Pythium) ପରି କବକ ପରିବେଶ ଅନୁଯାୟୀ ଚଳରେଣୁ ବା ଅଚଳରେଣୁ ଦ୍ୱାରା ବଂଶବୃଦ୍ଧି କରନ୍ତି । ଅଧିକ ଆର୍ଦ୍ର ପରିବେଶ ଚଳରେଣୁ ପାଇଁ ଅନୁକୂଳ ହୋଇଥିବା ବେଳେ ଶୁଖିଲା ପରିବେଶ ଅଚଳରେଣୁ ପାଇଁ ଉପଯୁକ୍ତ ।     

(iv) ଅଙ୍ଗୀୟ ଜନନ (Vegetative Propagation):

ପତ୍ର, ମୂଳ ବା କାଣ୍ଡର କୌଣସି ଅଂଶରୁ ଉଦ୍ଭିଦ ଜାତ ହେଲେ ଏହାକୁ ଅଙ୍ଗୀୟ ଜନନ କୁହାଯାଏ । 

ଆମରପୋଇର ପତ୍ରଧାରରେ ଥିବା ଦନ୍ତୁରିତ ଅଂଶ ଓଦାମାଟି ସଂସ୍ପର୍ଶରେ ଆସିଲେ ସେଥିରୁ ନୂତନ ଗଛ ବାହାରେ । 

ଶତମୂଳୀ, ଡାଲିଆ ଆଦି ଗଛର ମୂଳରୁ ନୂତନ ଗଛ ଜାତ ହୁଏ । 

କଦଳୀ, ଅଦା, ହଳଦୀ ଆଦି ଭୂନିମ୍ନସ୍ଥ କାଣ୍ଡରୁ ନୂତନ ଗଛ ଜାତ ହୋଇଥାଏ । 

ଅଙ୍ଗୀୟ ଜନନର ବିଶେଷତ୍ଵ :

  • କଦଳୀ, ଗୋଲାପ, ମଲ୍ଲୀ ଆଦି ଗଛ, ଯେଉଁଥରେ ମଞ୍ଜି ହୁଏନାହିଁ, ସେସବୁ ଗଛର ବଂଶବୃଦ୍ଧି ଏହି ପଦ୍ଧତିରେ ହିଁ ହୋଇଥାଏ। 
  • ମଞ୍ଜିରୁ ହେଉଥିବା ଗଛଠାରୁ ଏହି ପଦ୍ଧତିରେ ଜାତ ଗଛ ଶୀଘ୍ର ଫୁଲ ଓ ଫଳ ଧାରଣ କରିଥାଏ ।
  • ମୂଳଗଛରୁ ଜାତ ହେଉଥିବା ସମସ୍ତ ଗଛ ମୂଳଗଛ ସହିତ ଜିନୀୟ ସମତା ରକ୍ଷା କରି ଥାନ୍ତି । 
ଅଙ୍ଗୀୟ ଜନନ ନିମ୍ନୋକ୍ତ ପ୍ରକାରର ହୋଇପାରେ

(କ) ବିଖଣ୍ଡନ :

ସ୍ପାଇରୋଗାଇରା ପରି ଶୈବାଳ ଓ ଅନ୍ୟ କେତେକ ଅପୁଷ୍ପକ ଉଦ୍ଭିଦର ଥାଲସ୍ (Thallus) ବିଖଣ୍ଡିତ ହୋଇ ପ୍ରତ୍ୟେକ ଅଂଶ ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ଉଦ୍ଭିଦରେ ପରିଣତ ହେବାର ଦେଖାଯାଏ । ଏହି ପ୍ରକ୍ରିୟାକୁ ବିଖଣ୍ଡନ (Fragmentation) କୁହାଯାଏ ।

(ଖ) ଛେଦନ :

ବାକ୍ସଗଛ ଓ ମନିପ୍ଲାଣ୍ଟ ଆଦି ଗଛର କାଣ୍ଡକୁ ଛୋଟ ଛୋଟ କରି କାଟି ମାଟିରେ ପୋତିଲେ କିଛିଦିନ ପରେ ସେଥୁରୁ ନୂତନ ଗଛ ସୃଷ୍ଟି ହୁଏ । ଏହାକୁ ଛେଦନ (Cutting) ଳୀ କୁହାଯାଏ ।

(ଗ) କଲମିକରଣ :

କଲମିକରଣ ପଦ୍ଧତିରେ ଗୋଟିଏ ତରୁଣଗଛର ଅଗ୍ରଭାଗକୁ କାଟି ଦିଆଯଏ । ଏହି କଟାସ୍ଥାନରେ ଅନ୍ୟଗୋଟିଏ ଗଛର କଟାଡାଳ ବା କଲମ (Scion)କୁ କଲମି ମାଟିଦେଇ ବାନ୍ଧି ଦିଆଯାଏ । ଏହି ବନ୍ଧା ସ୍ଥାନକୁ ଅଳ୍ପ ଅଳ୍ପ ପାଣି ଦେଇ ଓଦା ରଖାଯାଏ । କିଛିଦିନ ପରେ ତାହା ଯୋଡ଼ିହୋଇ ସେଠାରେ ନୂତନ ଗଛ ସୃଷ୍ଟିହୁଏ । ନୂଆକରି ଜାତ ହୋଇଥିବା କଲମିଗଛରେ ପୋଷ୍ୟ ଅଂଶ ବା କଲମର ସମସ୍ତଗୁଣ ଅପରିବର୍ତ୍ତିତ ରହେ । କଲମିକରଣ ବିଭିନ୍ନ ଉପାୟରେ କରାଯାଇପାରେ । 

(୧) ଡାଳି କଲମି :

ଏହି ପଦ୍ଧତିରେ ଗଛର କୌଣସି ଏକ ଡାଳର କିଛି ଅଂଶରୁ ତ୍ୱଚା ବାହାରକରି ଏହି ଡାଳକୁ ମାଟି ପର୍ଯ୍ୟନ୍ତ ବଙ୍କାଇ ଓଦା ମାଟିରେ ପୋତି ଦିଆଯାଏ । ପରେ କିଛିଦିନ ପାଇଁ ଏହି ସ୍ଥାନକୁ ଅଳ୍ପ ଓଦା ରଖୁବାକୁ ପଡ଼େ। ପୋତା ହୋଇଥିବା ଅଂଶରୁ କ୍ରମେ ଚେର ବାହାରେ । ଚେର ବାହାରିବା ପରେ ଏହି ଡାଳଟିକୁ ମୂଳଗଛରୁ କାଟି ଅନ୍ୟତ୍ର ଲଗାଇଲେ ତାହା ଏକ ସମ୍ପୂର୍ଣ ନୂତନ ଗଛରେ ପରିଣତ ହୁଏ । 


(୨) ଗୁଟ୍ଟି କଲମି :

    ଗଛର ସୁସ୍ଥ ଓ ପାକଳିଆ ଡାଳକୁ ବାଛି ତାର ମୂଳ ଅଂଶର ତ୍ୱଚା ବାହାର କରି ଦିଆଯାଏ। କଟା ଅଂଶ ଉପରେ କଲମି ମାଟି [ଗୋବର, କଟା ନଡ଼ା ଓ ପଟୁ ମାଟିର ମିଶ୍ରଣ (Grafting clay)] ଦେଇ ଅଖା ବା ପଲିଥିନ୍ ଦ୍ୱାରା ତାହାକୁ ବାନ୍ଧି ଦିଆଯାଏ। କଲମି ମାଟି ନ ଶୁଖୁବା ପାଇଁ ସେଥିରେ ପ୍ରତିଦିନ ପାଣି ଦେବାର ବ୍ୟବସ୍ଥା କରାଯାଏ । କିଛିଦିନ ପରେ ଏହି ସ୍ଥାନରୁ ଚେର ବାହାରି କଲମି ମାଟିରେ ବଢ଼େ । ଚେର ଭଲଭାବେ ବଢ଼ିଗଲାପରେ ଡାଳଟିକୁ ମାତୃଗଛରୁ କାଟି ଅଲଗା ଲଗାଇଲେ ତାହ ଏହା ଏକ ନୂତନ ସ୍ଵୟଂସମ୍ପୂର୍ଣ ଗଛରେ ପରିଣତ ହୋଇପାରେ । ଏହ ଏହାକୁ ଗୁଟ୍ଟି କଲମି (Gootee) କୁହାଯାଏ ।