Skip to main content

ଜନନର ପ୍ରକାରଭେଦ (Types of Reproduction) || ଜନନ (Reproduction) || Class X || Notes

 

ଜନନ (REPRODUCTION)

ଜନନ  ବା ପ୍ରଜନନ (Reproduction) ପ୍ରକ୍ରିୟା ଦ୍ୱାରା ଜୀବମାନେ ଠିକ ନିଜପରି ଜୀବ (ଅପତ୍ୟ - Offspring) ସୃଷ୍ଟି କରି ବଂଶବୃଦ୍ଧି ଓ ବଂଶରକ୍ଷା କରିଥାନ୍ତି ।  

ଜନନର ପ୍ରକାରଭେଦ (Types of Reproduction): -

ବଂଶବୃଦ୍ଧି ମୁଖ୍ୟତଃ ଦୁଇଟି ଉପାୟରେ ହୋଇଥାଏ, ଯଥା - ଅଲିଙ୍ଗୀ ଜନନ (Asexual reproduction) ଏବଂ ଲିଙ୍ଗୀୟ ଜନନ (Sexual reproduction) । ତା'ଛଡା ବହୁ ଉଦ୍ଭିଦରେ ଅଙ୍ଗୀୟ ଜନନ (Vegetative reproduction or Vegetative propagation) ମାଧ୍ୟମରେ ବଂଶବୃଦ୍ଧି ହୋଇଥାଏ ।  

ଅଲିଙ୍ଗୀ ଜନନ (Asexual reproduction): - 

ଏହି ପ୍ରକ୍ରିୟାରେ ମାତୃ କୋଷ ବା ଜନକ କୋଷ (Mother cell or Parent cell) ବିଭାଜିତ ହେବା ଫଳରେ ଅପତ୍ୟ କୋଷ ବା ଅପତ୍ୟ ଜୀବ ସୃଷ୍ଟି ହୁଏ । ଏହା ସମବିଭାଜନ ବା ସୂତ୍ରାୟନ ବା ମାଈଟୋସିସ୍ (Mitosis) କିମ୍ବା ଏମାଇଟୋସିସ୍ (Amitosis) ପ୍ରକ୍ରିୟା ଦ୍ୱାରା ହୋଇଥାଏ । 

ଲିଙ୍ଗୀୟ ଜନନ (Sexual reproduction): - 

ଲିଙ୍ଗୀୟ ଜନନ ପ୍ରକ୍ରିୟାରେ ବଂଶବିସ୍ତାର କରୁଥିବା ଜୀବମାନଙ୍କ ଶରୀରରେ ଦୁଇ ପ୍ରକାର କୋଷ ଥାଏ, 

ଯଥା - (i) କାୟିକ କୋଷ ବା ସୋମୀୟ କୋଷ (Somatic cell) 

         (ii) ଜାୟକ କୋଷ (Germ cell) 

    କାୟିକ କୋଷ (Somatic cell) ରେ ଗୁଣସୂତ୍ର ବା କ୍ରୋମୋଜୋମ୍ (Chromosome) ସଂଖ୍ୟା ଏକ ଯୁଗ୍ମ ସଂଖ୍ୟା (Even number) ଭାବେ ରହିଥାଏ । କୌଣସି ଏକ ନିର୍ଦ୍ଦିଷ୍ଟ ଜାତିର ସବୁ ଜୀବର ପ୍ରତ୍ୟକ କୋଷରେ (ଯୁଗ୍ମକ ବ୍ୟତୀତ) ସମାନ ସଂଖ୍ୟକ ଗୁଣସୂତ୍ର ରହିଥାଏ । ମଣିଷରେ ଏହି ସଂଖ୍ୟା 46 ଓ ମକାରେ 20 ଅଟେ । ଏହି ସଂଖ୍ୟାକୁ ଦ୍ଵିଗୁଣିତ ବା ଡିପ୍ଲଏଡ଼୍ (Diploid) ସଂଖ୍ୟା କୁହାଯାଏ ଏବଂ ଏହାକୁ "2n" ଭାବେ ସୂଚିତ କରାଯାଇଥାଏ । ସୋମୀୟ କୋଷର ବିଭାଜନ ଦ୍ୱାରା ଶରୀରର ବୃଦ୍ଧି, ମରାମତି ଆଦି ସମ୍ଭବ ହୋଇଥାଏ । 

    ଯୁଗ୍ମକ ଜନନ (Gametogenesis) ପ୍ରକ୍ରିୟା ସମୟରେ ଅର୍ଦ୍ଧବିଭାଜନ ବା ଅର୍ଦ୍ଧାୟନ ବା ମିଓସିସ୍ (Meiosis) ଦ୍ୱାରା ଯୁଗ୍ମକ ସୃଷ୍ଟି ହୋଇଥାଏ । ଏଥିଯୋଗୁଁ ଯୁଗ୍ମକ (ପୁରୁଷର ଶୁକ୍ରାଣୁ ଓ ସ୍ତ୍ରୀର ଡିମ୍ବାଣୁ ବା ଫୁଲର ପରାଗ ରେଣୁ ଓ ଡିମ୍ବ କୋଷ) ରେ ଗୁଣସୂତ୍ର ସଂଖ୍ୟା ଅଧା ହୋଇଥାଏ । ଏହି ସଂଖ୍ୟାକୁ ଏକଗୁଣିତକ ବା ହାପ୍ଲଏଡ଼୍ (Haploid) ସଂଖ୍ୟା କୁହାଯାଏ ଏବଂ ଏହାକୁ "n" ଭାବେ ସୂଚିତ କରାଯାଇଥାଏ । 

    ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନ ବା ସମାୟନ (Fertilization) ଫଳରେ ଯୁଗ୍ମଜ (Zygote) ସୃଷ୍ଟି ହୁଏ । ଦୁଇଟି ଯୁଗ୍ମକରେ ଥିବା "n" ଓ "n" ସଂଖ୍ୟକ ଗୁଣସୂତ୍ର ମିଶିବା ଦ୍ୱାରା ପୁଣି "2n" ସଂଖ୍ୟାର ସ୍ଥାପନ ସମ୍ଭବ ହୁଏ । 

ଦୁଇ ପ୍ରକାରର ଯୁଗ୍ମକ ଏକାପରି ହୋଇଥିଲେ ସେଗୁଡିକୁ ସମଯୁଗ୍ମକ (Isogametes) ତଥା ସେମାନଙ୍କ ମିଳନକୁ ସମଯୁଗ୍ମନ (Isogamy) କୁହାଯାଏ । ଯୁଗ୍ମକ ଦୁଇଟି ଭିନ୍ନ ହୋଇଥିଲେ ସେଗୁଡିକୁ ଅସମଯୁଗ୍ମକ (Anisogametes) ତଥା ସେମାନଙ୍କ ମିଳନକୁ ଅସମଯୁଗ୍ମନ (Anisogamy or Heterogamy) କୁହାଯାଏ । ସାଧାରଣତଃ ଶୈବାଳ, କବକ ଓ କେତେକ ଆଦିପ୍ରାଣୀ ପରି ଜୀବମାନଙ୍କରେ ଏ ଦୁଇ ପ୍ରକାରର ପ୍ରକ୍ରିୟା ଦେଖାଯାଇଥାଏ । 

                 
                    

ସବୁ ଉଦ୍ଭିଦ ଓ ପ୍ରାଣୀରେ ଦେଖାଯାଉଥିବା ବିଶେଷ ପ୍ରକାରର ଅସମଯୁଗ୍ମନକୁ ଡିମ୍ବ ଯୁଗ୍ମନ (Oogamy)  କୁହାଯାଏ । ପ୍ରାୟ ସବୁ କ୍ଷେତ୍ରରେ ଆୟତନ ଦୃଷ୍ଟିରୁ ପୁଂଯୁଗ୍ମକ ଛୋଟ; ଏହା ଗତିଶୀଳ ଓ ସକ୍ରିୟ କିନ୍ତୁ ସ୍ତ୍ରୀ ଯୁଗ୍ମକ ବେଶ ବଡ, ଆପତତଃ ନିଷ୍କ୍ରିୟ ଓ ସ୍ଥିର, ଏହା ଗତିଶୀଳ ନୁହେଁ ।