କୋଷ ବିଭାଜନ
ଜୀବଜଗତରେ ମୁଖ୍ୟତଃ 2 ପ୍ରକାରର କୋଷ ବିଭାଜନ ଦେଖାଯାଏ, ଯଥା – ସମବିଭାଜନ ବା ସୂତ୍ରାୟନ ବା ମାଇଟୋସିସ୍ ଓ ଅର୍ଦ୍ଧବିଭାଜନ ବା ଅର୍ଦ୍ଧାୟନ ବା ମିଓସିସ୍ ।
ସମବିଭାଜନ (Mitosis):
ଜୀବକୋଷର ସମବିଭାଜନ / ସୂତ୍ରାୟନ ସାଧାରଣତଃ ଦୁଇଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ନ୍ୟଷ୍ଟିର ବିଭାଜନ ହୁଏ । ଏହାକୁ ନ୍ୟଷ୍ଟି ବିଭାଜନ (Karyokinesis) କୁହାଯାଏ । ପରବର୍ତ୍ତୀ ଅବସ୍ଥାରେ କୋଷଜୀବକର ବିଭାଜନ (Cytokinesis) ହେବାଫଳରେ ବିଭାଜନ ପ୍ରକ୍ରିୟା ସମ୍ପୂର୍ଣ ହୋଇ ଦୁଇଟି ଅପତ୍ୟ କୋଷ ସୃଷ୍ଟି ହୋଇଥାଏ ।
ଏହାକୁ ଚାରୋଟି ଅବସ୍ଥାରେ ବର୍ଣ୍ଣନ କରାଯାଇପାରେ,
ଯଥା- ଆଦ୍ୟାବସ୍ଥା (Prophase)
ମଧ୍ୟାବସ୍ଥା (Metaphase)
ଉତ୍ତରାବସ୍ଥା (Anaphase)
ଅନ୍ତିମାବସ୍ଥା (Telophase)
(କ) ଆଦ୍ୟାବସ୍ଥା:
ଆଦ୍ୟାବସ୍ଥାର ଆରମ୍ଭରେ କ୍ରୋମାଟିନ୍ ଜାଲିକା (Chromatin reticulum) ଦେଖାଯାଏ । ଜାଲିକା କ୍ରମେ ସୁସ୍ପଷ୍ଟ ସ୍ଥୂଳ ରୂପ ଧାରଣ କରି ପରିଶେଷରେ କେତୋଟି ନିର୍ଦ୍ଦିଷ୍ଟସଂଖ୍ୟକ ଗୁଣସୂତ୍ର ଭାବେ ଦୃଶ୍ୟମାନ ହୁଏ ।
ଆଦ୍ୟାବସ୍ଥାର ଶେଷବେଳକୁ ପ୍ରତ୍ୟକ ଗୁଣସୂତ୍ର ଅନୁଲମ୍ବ ଭାବେ ଦୁଇଟି (Chromatid) ଏକକ ଗୁଣସୂତ୍ରରେ ବିଭାଜିତ ହୋଇଥିବାର ଦେଖାଯାଏ, ଏହା ଗୁଣସୂତ୍ର କେନ୍ଦ୍ର (Centromere) ଠାରେ ଲାଗି ରହିଥାଏ ।
କ୍ରମେ ନିନ୍ୟଷ୍ଟି ଓ ନ୍ୟଷ୍ଟି ଝିଲ୍ଲୀ ଅଦୃଶ୍ୟ ହୋଇଯାଏ ।
କୋଷରେ ଥିବା କେନ୍ଦ୍ରପିଣ୍ଡ ବା ସେଣ୍ଟ୍ରୋଜୋମ୍ (Centrosome) ଦୁଇ ଭାଗରେ ବିଭକ୍ତ ହୋଇ କୋଷର ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି ଓ ସେଠାରେ ତାରକ (Aster) ଗଠନ କରନ୍ତି ।
କୋଷର ଦୁଇ ମେରୁ ଅଞ୍ଚଳରେ ତର୍କୁତନ୍ତୁ (Spindle fibers) ଗଠନ ପ୍ରକ୍ରିୟା ଆରମ୍ଭ ହୁଏ ।
ଉଭିଦ କୋଷରେ ସେଣ୍ଟ୍ରୋଜୋମ୍ ନଥୁବା ସତ୍ତ୍ୱେ କୋଷ ବିଭାଜନ ସ୍ଵାଭାବିକ ଭାବେ ହୋଇଥାଏ ।

ଖ) ମଧ୍ୟାବସ୍ଥା :
ମଧ୍ୟାବସ୍ଥାରେ ଗୁଣସୂତ୍ରଗୁଡ଼ିକ କୋଷର ମଧ୍ୟସମତଳ (Equatorial plane) ଚାଲିଆସନ୍ତି । ମେରୁସ୍ଥିତ ତର୍କୁତନ୍ତୁ କ୍ରମଶଃ ବନ୍ଧିତ ହୋଇ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ରସହ ସଂଯୁକ୍ତ ହୁଅନ୍ତି।
(ଗ) ଉତ୍ତରାବସ୍ଥା :
ଉତ୍ତରାବସ୍ଥାରେ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ର ବିଭାଜିତ ହୁଏ । ତର୍କୁତନ୍ତୁ ସଙ୍କୁଚିତ ହେବା ଫଳରେ ଗୁଣସୂତ୍ରର ପ୍ରତ୍ୟେକ ଏକକ ସୂତ୍ର ଦୁଇ ଆଡ଼କୁ ଗତି କରନ୍ତି। ଏହି ସମୟରେ ପ୍ରତ୍ୟେକ ଏକକ ସୂତ୍ର (ନୂତନ ଗୁଣସୂତ୍ର) କୋଣାକାର ବା ‘V” ଆକାର ଧାରଣ କରେ ।
(ଘ) ଅନ୍ତିମାବସ୍ଥା :
ଅନ୍ତିମାବସ୍ଥାରେ ଅପତ୍ୟ ଗୁଣସୂତ୍ରଗୁଡ଼ିକ କୋଷର ଦୁଇ ମେରୁରେ ଜମା ହୁଅନ୍ତି । କ୍ରମଶଃ ପ୍ରତ୍ୟେକ ଗୁଣସୂତ୍ରପୁଞ୍ଜର ଚତୁର୍ଦ୍ଦିଗରେ ନ୍ୟଷ୍ଟି ଝିଲ୍ଲୀ ସୃଷ୍ଟି ହୁଏ । ଗୁଣସୂତ୍ରଗୁଡ଼ିକ ସୂକ୍ଷ୍ମ ଅସ୍ପଷ୍ଟ ହେବା ଆରମ୍ଭ ସହ ନିନ୍ୟଷ୍ଟି ମଧ୍ୟ ସୃଷ୍ଟି ହୁଏ ।
କୋଷଜୀବକ ବିଭାଜନ :
ଉଦ୍ଭିଦ ମାତୃ କୋଷର ମଧ୍ୟଭାଗରେ ଏକ କୋଷପଟ୍ଟିକା (Cell plate) ଦେଖାଯାଏ । କ୍ରମେ ଏହା ସୁସ୍ପଷ୍ଟ ହୋଇ ମାତୃକୋଷର କୋଷଜୀବକ ଦୁଇଭାଗରେ ବିଭକ୍ତ ହେବା ସଙ୍ଗେ ସଙ୍ଗେ ମାତୃ କୋଷଟି ଦୁଇଟି ସମରୂପୀ ଅପତ୍ୟ କୋଷରେ ପରିଣତ ହୁଏ ।
ପ୍ରାଣୀ ମାତୃ କୋଷରେ କୋଷପଟ୍ଟିକା ତିଆରି ହୁଏ ନାହିଁ; କୋଷଜୀବକର ସଙ୍କୋଚନ ସୂକ୍ଷ୍ମସୂତ୍ର (Micro filament) ସାହାଯ୍ୟରେ ହୋଇ ଦୁଇଟି ଅପତ୍ୟ କୋଷ ତିଆରି ହୁଏ ।
ଅର୍ଦ୍ଧବିଭାଜନ (Meiosis):
ଅର୍ଦ୍ଧବିଭାଜନ ଦ୍ୱାରା ଗୋଟିଏ ମାତୃ କୋଷରୁ ଚାରୋଟି ଅପତ୍ୟ କୋଷ ସୃଷ୍ଟି ହୁଏ । ପ୍ରତ୍ୟେକ ଅପତ୍ୟକୋଷ ମାତୃକୋଷ ତୁଳନାରେ ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର ବହନ କରେ । ସେଥିପାଇଁ ଏହି ପ୍ରକାର ବିଭାଜନକୁ ନ୍ୟୁନକ ବିଭାଜନ (Reductional division) ବୋଲି ମଧ୍ୟ କୁହାଯାଏ । ଏହା ଯୁଗ୍ମକସୃଷ୍ଟି ପାଇଁ ଉଦ୍ଦିଷ୍ଟ ।
ଅଦ୍ଧବିଭାଜନ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହୁଏ । ପ୍ରଥମ ବିଭାଜନ (Meiosis-I) ରେ କୋଷର ଗୁଣସୂତ୍ର ସଂଖ୍ୟା ଅର୍ଦ୍ଧେକ ସଂଖ୍ୟକ ହୋଇଯାଏ ଏବଂ ଦ୍ଵିତୀୟ ବିଭାଜନ (Meiosis-II) ରେ ନୂତନ ଭାବେ ଗଠିତ କୋଷଗୁଡ଼ିକର ଗୁଡ଼ିକର ସମବିଭାଜନ ହୁଏ । ଫଳରେ ଅଦ୍ଧବିଭାଜନ ଶେଷରେ ଗୋଟିଏ ମାତୃକୋଷରୁ ଚାରୋଟି ଅପତ୍ୟକୋଷ ଉତ୍ପନ୍ନ ହୁଏ ଏବଂ ପ୍ରତ୍ୟେକ ଅପତ୍ୟ କୋଷରେ ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର ରହିଥାଏ ।
i) ପ୍ରଥମ ବିଭାଜନ :
ଏହି ବିଭାଜନକୁ ଚାରୋଟି ଅବସ୍ଥାରେ ଅଧ୍ୟୟନ କରାଯାଇପାରେ ।
ଯଥା- ଆଦ୍ୟାବସ୍ଥା-I, ମଧ୍ୟାବସ୍ଥା -I, ଉତ୍ତରାବସ୍ଥା -I, ଅନ୍ତିମାବସ୍ଥା–1
(କ) ଆଦ୍ୟାବସ୍ଥା-I
ଏହି ଅବସ୍ଥାର ପାଞ୍ଚୋଟି ଉପାବସ୍ଥା ଥାଏ ।
ସେଗୁଡ଼ିକ ହେଲା – ଲେପଟୋଟିନ୍ (Leptotene), ଜାଇଗୋଟିନ (Zygotene), ପାକିଟିନ (Pachytene), ଡିପ୍ଲୋଟଇନ (Diplotene) ଏବଂ ଡାଇଆକାଇନେସିସ୍ (Diakinesis) ।
ଲେପଟୋଟିନ୍ ଅବସ୍ଥାରେ ଗୁଣସୂତ୍ର ଗୁଡ଼ିକ ଦୃଶ୍ୟମାନ ହୋଇଥାଏ । ଏହି ଅବସ୍ଥାରେ ଗୁଣସୂତ୍ରଗୁଡ଼ିକ ଯଦିଓ ପୂର୍ବରୁ ଅନୁଦୈର୍ଘ୍ୟକଭାବେ ସମଦ୍ଵିଖଣ୍ଡିତ ହୋଇଥାନ୍ତି ମାତ୍ର ତାହା ଏକକ ରୂପେ ଦେଖାଯାଆନ୍ତି।
ଜାଇଗୋଟିନ୍ରେ ପିତାମାତାଙ୍କଠାରୁ ଆସିଥିବା ସଦୃଶ ଗୁଣସୂତ୍ର ଗୁଡ଼ିକ (Homologous chromosomes) ପରସ୍ପର ଆଡ଼କୁ ଆକୃଷ୍ଟ ହୁଅନ୍ତି ଓ ଲମ୍ବ ଭାବରେ ଯୋଡ଼ା ଯୋଡ଼ା ହୋଇ ଲାଗି ରହନ୍ତି। ଏହି ଅବସ୍ଥାକୁ ଆପୁଞ୍ଜନ (Synapsis) କୁହାଯାଏ । ପ୍ରତ୍ୟେକ ଗୁଣସୂତ୍ର ଯୁଗଳ ବା ଯୋଡ଼ିକୁ ଯୁଗଳ ଗୁଣସୂତ୍ର (Bivalent) କୁହାଯାଏ ।
ପାକିଟିନ୍ରେ ଗୁଣସୂତ୍ର ସ୍ଥୂଳ ଏବଂ କ୍ଷୁଦ୍ରାକାର ହୁଏ । ପ୍ରତ୍ୟେକ ଗୁଣସୂତ୍ର ଲମ୍ବ ଭାବରେ ଦୁଇଟି ଏକକସୂତ୍ର (Chromatid) ହାଇଥିବାରୁ ପ୍ରତ୍ୟେକ ଯୁଗଳ ଗୁଣସୂତ୍ର ଗୋଟିଏ ଲେଖାଏଁ ଚତୁଷ୍କ ବା ଚତୁଃଏକକ ସୂତ୍ର (Tetrad)ରେ ପରିଣତ ହୁଏ ।
ଡିପ୍ଲୋଟିନ୍ରେ ଗୁଣସୂତ୍ର (ପ୍ରତ୍ୟେକ ଦୁଇ ଏକକ ସୂତ୍ର ସହ) ଗୁଡ଼ିକର ପୃଥକୀକରଣ ଆରମ୍ଭ ହୁଏ । ସେମାନେ କେବଳ କେତେକ ବିନ୍ଦୁରେ ପରସ୍ପର ସହିତ ଲାଗି ରହି ଅନ୍ୟ ଅଂଶରେ ପୃଥକ୍ ହୋଇଥାଆନ୍ତି। ଏହି ମିଳନସ୍ଥଳକୁ କାଏଜ୍ମା (Chiasma) କୁହାଯାଏ । ଯୁଗଳ ଗୁଣସୂତ୍ର ଗୁଡିକର ମିଳନ ସ୍ଥଳ ବା କାଏଜ୍ମାଟା (Chiasmata) ନିକଟରେ ସେମାନଙ୍କ ଏକକସୂତ୍ର ମଧ୍ୟରେ ଅଂଶ ବିନିମୟ ଦ୍ୱାରା ଜିନ୍ ଆଦାନପ୍ରଦାନ କରନ୍ତି । ଏହି ପ୍ରକ୍ରିୟାକୁ ପାରାନ୍ତରଣ (Crossing over) କୁହାଯାଏ ।
ଡାଇଆକାଇନେସିସ୍ ରେ ଗୁଣସୂତ୍ର ଗୁଡ଼ିକ କ୍ଷୁଦ୍ରାକାର; କିନ୍ତୁ ସ୍ଥୂଳ ଓ ବର୍ତ୍ତୁଳ ହେବାଦ୍ଵାରା ଅଧୂକ ସ୍ପଷ୍ଟ ଦେଖାଯାଆନ୍ତି । ଏହି ଉପାବସ୍ଥାରେ ସେଗୁଡ଼ିକର ଆକୃତି ମୁଦ୍ରିକା ସଦୃଶ । ନିନ୍ୟଷ୍ଟି ଏବଂ ନ୍ୟଷ୍ଟି ଝିଲ୍ଲୀ ଏହି ଅବସ୍ଥାରେ ଅଦୃଶ୍ୟ ହୋଇଥାଏ ।
(ଖ) ମଧ୍ୟାବସ୍ଥା–I
ଏହି ଅବସ୍ଥାରେ ଯୁଗଳ ଗୁଣସୂତ୍ର ଗୁଡ଼ିକ କୋଷର ମଧ୍ୟସମତଳ ଭାଗକୁ ଚାଲିଆସନ୍ତି । ଏହି ଅବସ୍ଥାରେ ତର୍କୁତନ୍ତୁ ଗୁଣସୂତ୍ରର କେନ୍ଦ୍ରଭାଗ ସହ ସଂଶ୍ଳିଷ୍ଟ ହୁଏ ।
(ଗ) ଉତ୍ତରାବସ୍ଥା-I
ଯୁଗଳ ଗୁଣସୂତ୍ର ର ପ୍ରତ୍ୟେକ ଗୁଣସୂତ୍ର ତାହାର ର ଦୁଇଟି ଏକକ ସୂତ୍ର ସହ କୋଷର ବିପରୀତ ଦିଗକୁ ଦୁଇ ମେରୁ ଆଡ଼କୁ ଗତି କରେ । ଗୁଣସୂତ୍ର କେନ୍ଦ୍ରର ବିଭାଜନ ହୁଏ ନାହିଁ । ଏହା ହେଉଛି ଗୁଣସୂତ୍ର ସଂଖ୍ୟା ଅଧା ହୋଇଯିବାର କାରଣ । ଗୁଣସୂତ୍ର ଗୁଡ଼ିକ ଏହି ସମୟରେ କୋଣାକାର ବା 'V' ଆକାର ଦେଖାଯାଆନ୍ତି ।
(ଘ) ଅନ୍ତିମାବସ୍ଥା -I
ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର କୋଷର ଦୁଇ ବିପରୀତ ମେରୁରେ ଜମାହୋଇ ଦୁଇଟି ନ୍ୟଷ୍ଟି ତିଆରି କରନ୍ତି । ପ୍ରଥମେ ନ୍ୟନ୍ୟଷ୍ଟି ଓ ପରେ ନ୍ୟଷ୍ଟିଝିଲ୍ଲୀ ସୃଷ୍ଟି ହୁଏ ଏବଂ ଗୁଣସୂତ୍ରଗୁଡ଼ିକ ଆସ୍ତେ ଆସ୍ତେ ଲମ୍ବାଳିଆ ଓ ପରେ ଅସ୍ପଷ୍ଟ ହୋଇଯାଏ । ଏହି ଏହି ସମୟରେ କୋଷଜୀବକ ଦୁଇଭାଗରେ ବିଭକ୍ତ ହୁଏ ଏବଂ କୋଷକୁ ଦୁଇଟି ଅପତ୍ୟ କୋଷରେ ବିଭକ୍ତ କରେ ।
(ii) ଦ୍ଵିତୀୟ ବିଭାଜନ :
ଅଦ୍ଧବିଭାଜନର ପ୍ରଥମ ବିଭାଜନ ପରେ ପରେ ଦ୍ଵିତୀୟ ବିଭାଜନ ହୁଏ ଏବଂ ଏହା ଠିକ୍ ସମବିଭାଜନ ପରି । ଏହାର ଚାରୋଟି ଅବସ୍ଥାକୁ ଆଦ୍ୟାବସ୍ଥା-II, ମଧ୍ୟାବସ୍ଥା-II, ଉତ୍ତରାବସ୍ଥା-II ଏବଂ ଅନ୍ତିମାବସ୍ଥା-II କୁହାଯାଏ ।