ପୋଷଣ
ଜୈବ ରାସାୟନିକ ପ୍ରକ୍ରିୟା: -
ମନୁଷ୍ୟ ଶରୀରରେ ଅନେକ ଜୈବିକ ପ୍ରକ୍ରିୟା (ଯଥା – ରେଚନ, ରକ୍ତ ସଂଚାଳନ, ଶ୍ବାଶକ୍ରିୟା ଆଦି) ନିରନ୍ତର ଚାଲୁରହିଥାଏ | ଏହି ପ୍ରକ୍ରିୟା ଗୁଡିକୁ ଆମେ ଜୈବ ରାସାୟନିକ ବା ଜୀବନ ପ୍ରକ୍ରିୟା କହୁ |
ପୋଷଣ (Nutrition): -
ଜୀବ ଶରୀରର ଗଠନ, ଶରୀରର ବୃଦ୍ଧି ଓ ମରାମତି ନିମନ୍ତେ ବିଭିନ୍ନ ଉପାଦାନ ଏବଂ ଶକ୍ତି ଦରକାର | ଜୀବର ଖାଦ୍ୟ ଏ ସମସ୍ତ ଚାହିଦା ପୂରଣ କରିଥାଏ | “ ଯେଉ ପ୍ରକ୍ରିୟାରେ ଜୀବ ଖାଦ୍ୟରୁ ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ କରିଥାଏ ସେହି ପ୍ରକ୍ରିୟାକୁ ପୋଷଣ କୁହାଯାଏ |
ପୋଷଣ ସହିତ ଦୁଇଟି ପ୍ରକ୍ରିୟା ଅଂଗାଅଂଗୀ ଭାବେ ଜଡିତ | ଏ ଦୁହେଁ ହେଉଛନ୍ତି ଚୟ ଓ ଅପଚୟ | ଚୟ ଏକ ଗଠନାତ୍ମକ ପ୍ରକ୍ରିୟା ହୋଈଥିବା ବେଳେ ଅପଚୟ ଏକ ଧ୍ବଂସାତ୍ମକ ପ୍ରକ୍ରିୟା |
ଅପଚୟ :-
ଆମେ ଖାଉଥିବା ଜଟିଲ ଖାଦ୍ୟର ସରଲୀକରଣ ଘଟି ସରଳ ଅଣୁରେ ପରିଣତ ହେବ ପ୍ରକ୍ରିୟାକୁ ଅପଚୟ କୁହାଯାଏ |
ଚୟ :-
ଏହି ସରଳ ବା ସୂକ୍ଷ୍ମ ଅଣୁ ଗୁଡ଼ିକ ଏକତ୍ରିତ ହୋଇ ଏକ ବୃହତ୍ ଅଣୁ ଗଠନ କରନ୍ତି, ଯାହାକି ଶରୀରର ଆବଶ୍ୟକୀୟ କାର୍ଯ୍ୟରେ ଉପଯୋଗ ହୁଏ ଏହି ପ୍ରକ୍ରିୟାକୁ ଚୟ କୁହାଯାଏ ଜୀବ ଶରୀରରେ ଚୟ ଓ ଅପଚୟ ଅନବରତ ଭାବରେ ଚାଲିଥାଏ | ଏହି ଦୁଇ ପ୍ରକ୍ରିୟାକୁ ମିଳିତ ଭାବରେ ଚୟାପଚୟ କୁହାଯାଏ |
ଖାଦ୍ୟର ପ୍ରକାର ଭେଦ :-
ରାସାୟନୀକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଆମେ ଖାଉଥିବା ଖାଦ୍ୟକୁ ମୁଖ୍ୟତଃ ୬ ପ୍ରକାରରେ ବିଭକ୍ତ କରାଯାଇଛି |
ଶ୍ବେତସାର:-
ଶ୍ଵେତସାରା ଜାତୀୟ ଖାଦ୍ୟ ଆମକୁ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ |
୧ ଗ୍ରାମ୍ ଶ୍ବେତସାରରୁ ୧୬ କିଲୋଜୁଲ୍ ଶକ୍ତି ନିର୍ଗତ ହୋଇଥାଏ |
ଅଲୁ, ଭାତ, ରୁଟି ଆଦିରେ ଅଧିକ ପରିମାଣରେ ଥିବା ଶ୍ବେତସାର ହେଲା ମଣ୍ଡଦ ।
ଚିନି, ଗୁଡ ଆଦିରେ ଅଧିକ ପରିମାଣରେ ଥିବା ଶ୍ବେତସାର ହେଲା ସୁକ୍ରୋଜ୍ ।
ଫଳ, ପନିପରିବା ଆଦିରେ ଅଧିକ ପରିମାଣରେ ଥିବା ଶ୍ବେତସାର ହେଲା ଗ୍ଲୁକୋଜ୍ ।
ପୃଷ୍ଟିସାର :-
ପୃଷ୍ଟିସାର ଜାତୀୟ ଖାଦ୍ୟ ଆମ ଶରୀରର ବୃଦ୍ଧି, ଦନ୍ତ ଓ ନୂତନ କୋଷର ଗଠନରେ ସାହାଯ୍ୟ କରିଥାଏ ।
ଏମିନୋ ଅମ୍ଲର (Amino acid) ଶୃଂଖଳ ଦ୍ବାରା ପୃଷ୍ଟିସାର ଗଠିତ ହୋଇଥାଏ|
ମାଛ, ମାଂସ, ଅଣ୍ଡାର ଧଳା ଅଂଶ, ଛେନା ଓ କ୍ଷୀର ପରି ପ୍ରାଣୀଜ ଦ୍ରବ୍ୟ ଏବଂ ଡାଲି ଜାତୀୟ ଶସ୍ୟ, ସୋୟାବିନ୍ ଆଦିରୁ ଆମେ ପୃଷ୍ଟିସାର ପାଇଥାଉ ।
ସ୍ନେହସାର :-
ମାଂସ, ଛେନା, କ୍ଷୀର, ଲହୁଣୀ, ଅଣ୍ଡାର ହଳଦିଆ ଅଂଶ, ତେଲ, ଘିଆରେ ସ୍ନେହସାର (ଚର୍ବି, ଲିପିଡ଼) ଜାତୀୟ ଖାଦ୍ୟ ଥାଏ ।
କୋଷଝିଲ୍ଲୀ ତିଆରିରେ ଲିପିଡ଼ର ପ୍ରମୁଖ ଭୁମିକା ରହିଛି । ଶରୀରରେ ସ୍ନେହସାର ଚର୍ବି ଭାବରେ ସଂଚିତ ହୋଇ ରହେ |ଆବଶ୍ୟକ ସ୍ଥଳେ କୋଷିୟ ଶ୍ବଶନ ଦ୍ବାରା ଏହାର ଜାରଣ ହୁଏ ଓ ଏହା ଶରୀରକୁ ଶକ୍ତି ଯୋଗାଇଥାଏ।
ଚର୍ବି ତାପ ଅପରିବାହୀ ହୋଇଥିବାରୁ ଚର୍ବି ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ।
ଧାତୁସାର: -
ଦାନ୍ତ ଓ ହାଡ ଗଠନରେ କ୍ୟାଲସିୟମ ଓ ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ୍ ଗଠନ ପାଇଁ ଲୌହ ଆବଶ୍ୟକ ।
ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ ଧାତୁସାରର ଭୁମିକା ରହିଛି ।
ଭିଟାମିନ୍: -
ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ସୁସ୍ଥ ରଖିଥାଏ ।
ଶାଗ, ପନିପରିବା ଓ ଫଳରେ ଥିବା ଭିଟାମିନ୍ ଜଳରେ ଦ୍ରବଣିୟ ।
ପ୍ରାଣୀଜ ଚର୍ବି ଓ ଉଦ୍ଭିଦଜାତ ତେଲରେ ଥିବା ଭିଟାମିନ୍ ତେଲରେ ଦ୍ରବଣିୟ ।
ଜଳ: -
ଏହା ଆମ ରକ୍ତରେ ମିଶି ରହିଥିବା ଅପଦ୍ରବ ଗୁଡିକୁ ନିଷ୍କାଷିତ କରିବାରେ ସାହାଯ୍ୟ କରେ |
କୋଷରେ ଥିବା କୋଷରସ ବା କୋଷଜୀବକର ପ୍ରୟ ୭୦-୯୦ ଭାଗ ହେଉଛି ଜଳ |
ଆମକୁ ପ୍ରତିଦିନ ପ୍ରାୟ ୩-୪ ଲିଟର ପାଣି ପିଇବା ଉଚିତ୍ ।